ପେଟପାଟଣା ପାଇଁ…ପୁଣି ଫେରୁଛନ୍ତି ଦାଦନ : ଖଟିବା ପାଇଁ ଓଡିଶାରୁ ବାହାର ରାଜ୍ୟକୁ ଯାଉଛନ୍ତି ଶ୍ରମିକ 

111

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦେଶରେ ଲକ୍ଡାଉନ୍ ଆରମ୍ଭ ହେବା ପରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କଳକାରଖାନା, ଦୋକାନ ବଜାର ବନ୍ଦ ରହିବା ଫଳରେ ରାଜ୍ୟ ବାହାରେ କାମ କରୁଥିବା ଲୋକେ ନିଜ ନିଜ ରାଜ୍ୟକୁ ଫେରି ଥିଲେ । ଓଡିଶାକୁ ମଧ୍ୟ ଫେରିଥିଲେ ପ୍ରବାସୀ ଓଡିଆ । କିନ୍ତୁ ଏବେ ପରିସ୍ଥିତି ବଦଳିଛି, କିନ୍ତୁ ପେଟପାଟଣା ଚିନ୍ତାରେ ପୁଣି ଥରେ ରାଜ୍ୟ ବାହାରକୁ ବାହାରିଛନ୍ତି ଓଡିଆ ଶ୍ରମିକ । ଏବେ ଦୀର୍ଘ ୮ ମାସ ପରେ ଓଡିଶାରେ କାମ ନମିଳିବାରୁ ଗୁଜରାଟର ସୁରତ, ଅହମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରମିକ ।

ଦାଦନ ଖଟିବାକୁ ସେମାନେ ଯିବାକୁ ବାଧ୍ୟ ହୋଇଛନ୍ତି । ଘରେ ବୁଢା ବାପାମାଆ ଓ ପରିବାରକୁ ଛାଡି ଏବେ ରାଜ୍ୟ ବାହାର ମୁହାଁ ହୋଇଛନ୍ତି । ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ହଜାରେରୁ ଅଧିକ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଦେଖାଯାଇଛି । ପୁରୀ ଅହମଦାବାଦ ଟ୍ରେନ ଆଗରେ ଦେଖାଯାଇଥିବା ଏହି ଦୃଶ୍ୟ ବେରୋଜଗାରୀ ଓ ଦାଦନ ଯନ୍ତ୍ରଣାକୁ ସ୍ପଷ୍ଟ ଭାବେ ବଖାଣୁଛି ।