ଜୀବନ ଜୀବିକାର ଦୋଛକିରେ ସୁରତ ସୂତାକଳ ଓଡ଼ିଆ ଶ୍ରମିକ: ୨ ଦିନ ପରେ ବି ମିଳିଲାନି ରନ୍ଧାଖାଦ୍ୟ; ଘୋଷଣା କରି ଫାଙ୍କିଦେଲା ସୁରତ ଜିଲ୍ଲା ପ୍ରଶାସନ

491

କନକ ବ୍ୟୁରୋ: ଲକଡାଉନ୍ ପରେ ଗୁଜରାଟର ସୁରତ ଜିଲ୍ଲା  ଡାଇମଣ୍ଡ୍‌ନଗର ସୂତାକଳଗୁଡ଼ିକରେ କାମଧନ୍ଦା ହରାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକ ଦୁଇ ଦିନ ତଳେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ କରିବା ସହ ପୋଡ଼ାଜଳା କରିଥିଲେ। ଏହି ଘଟଣା ପରେ ସୁରତ ଜିଲ୍ଲା ପ୍ରଶାସନ ଚେତିଥିଲା।  ଡାଇମଣ୍ଡ୍‌ନଗରରେ ଥିବା ୩୪ଟି ମେସର ୮ହଜାର ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବା ଲାଗି ନିଷ୍ପତ୍ତି କରି ମେସ୍ ମାଲିକଙ୍କ ସହ ସେଠା ପ୍ରଶାସନ ଆଲୋଚନା କରିଥିଲା। ଗତକାଲିଠାରୁ ମେସରେ ରହୁଥିବା ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବାକୁ ସ୍ଥିର ହୋଇଥିଲା। ମେସ୍ ମାଲିକଙ୍କୁ ଚାଉଳ, ଡାଲି ଓ ତେଲ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଆବଶ୍ୟକ ରାସନ୍ ସାମଗ୍ରୀ ଓ ପନିପରିବା ଯୋଗାଯାଇ ନ ଥିବାରୁ  ପ୍ରଥମ ଦିନରେ ମେସ୍ଗୁଡ଼ିକରେ ରନ୍ଧାଖାଦ୍ୟ ପ୍ରସ୍ତୁତ ହୋଇପାରି ନାହିଁ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାକି ସାମଗ୍ରୀ ଯୋଗାଣ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ  ଡାଇମଣ୍ଡ୍‌ନଗର ଅଞ୍ଚଳର ମେସ୍ ମାଲିକଙ୍କ ବୈଠକ ବସି କିଭଳି ରନ୍ଧାଖାଦ୍ୟ ବଣ୍ଟନ ହେବ ସେ ଦିଗରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ସୁରତ୍ ଜିଲ୍ଲା ପ୍ରଶାସନ ପକ୍ଷରୁ  ଡାଇମଣ୍ଡ୍‌ନଗରରେ ଭଡ଼ା ଘରେ ରହୁଥିବା ଗରିବ ଶ୍ରମିକ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ସେମାନେ ଏବେ ବି ଭୋକ ଉପାସରେ ଅଛନ୍ତି। ରାସନ୍ କାର୍ଡ଼ ଥିବା ପରିବାରମାନେ ସରକାରଙ୍କ ପକ୍ଷରୁ କିଛି କିଛି ରାସନ୍ ପାଇଥିବା ବେଳେ ବାକି ପରିବାର କିଛି ବି ସରକାରୀ ସହାୟତା ପାଇ ନାହାନ୍ତି। ସେମାନଙ୍କ ପାଖରେ ଥିବା ଅର୍ଥ ବି ସରିବାକୁ ବସିଲାଣି। ଲକ୍ଡାଉନ୍ ହଟି ଟ୍ରେନ ଚଳାଚଳ କରିବା ପରେ ଗାଁକୁ ଫେରିବା ଚିନ୍ତାରେ ଅଧିକାଂଶ ଶ୍ରମିକ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଲକ୍ଡାଉନ୍ ହଟିବା ପରେ ସୂତାକଳ ଚାଲିବ କି ନାହିଁ, ସୂତାକଳରେ କାମ ମିଳିବ କି ନାହିଁ ଏଭଳି ଚିନ୍ତା ସ୍ବଚ୍ଛଳ ବର୍ଗର ଶ୍ରମିକମାନଙ୍କୁ ଘାରିଛି। ଜୀବନଜୀବିକାରେ ଅନିଶ୍ଚିତତାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ସୁରତ ସୂତାକଳ ଓଡ଼ିଆ ଶ୍ରମିକ।

ସେହିପରି ମହାରାଷ୍ଟ୍ରର ଜଲଗାଓଁରେ ଅଟକି ରହିଥିବା କିଛି ଓଡ଼ିଆ ଶ୍ରମିକ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଅନୁଗୁଳ ଅଂଚଳର ୪୬ ଜଣ ଶ୍ରମିକ ସେଠାରେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିବା ବେଳେ ଖାଦ୍ୟ ଓ ପାଣିର ସେମାନେ ଅସୁବିଧା ଭୋଗୁଛନ୍ତି । ଏନେଇ ସେମାନେ ଭିଡିଓ ମାଧ୍ୟମରେ ଜଣାଇବା ପରେ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେ ଜଳଗାଓଁର ସ୍ଥାନୀୟ ଶିଳ୍ପପତି ଅଶୋକ ଚୌଧୁରୀଙ୍କ ସହ ଯୋଗାଯୋଗ କରି ଶ୍ରମିକମାନଙ୍କ ଅସୁବିଧା ଦୂର କରିବା ପାଇଁ ଜଣାଇଥିଲେ । ଶ୍ରମିକଙ୍କ ଅସୁବିଧା ଦୂର ହେବା ନେଇ ସେ ନିଶ୍ଚିତ କରାଇଥିଲେ ।