କରୋନା ପାଇଁ ଯାଉଛି ଜୀବନ : ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ; ବେସାହାରା ହୋଇଗଲା ପରିବାର

ନଭେମ୍ବରରେ ଭଞ୍ଜନଗରରୁ ଗୁଜରାଟ ଯାଇଥିଲେ ୪୧ ବର୍ଷିୟ ଭଗବାନ ନାୟକ

210

କନକ ବ୍ୟୁରୋ : ସୁରଟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୁପ ନେବାକୁ ବସିଲାଣି । ଟିକା ମିଳୁନି କି ରୋଗହେଲେ ମେଡିକାଲରେ ବେଡ ମିଳୁନି । ବେଡ ନମିଳିବାରୁ ସୁରତରେ ଯାଇଛି ଓଡିଆ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ହେଲେ ଭଞ୍ଜନଗର ଦଦରାଲୁଣ୍ଡା ଗାଁର ଭଗବାନ ନାୟକ । ବିଗତ ବର୍ଷ କରୋନା ଯୋଗୁଁ ଏହି ସମୟରେ ଗାଁକୁ ଫେରିଥିଲେ ପ୍ରବାସୀ ଭଗବାନ ନାୟକ ।

ସୁରତରେ କମ୍ପାନି ଚାଲୁ ହେବାରୁ ସେ ପୁଣି କିଛି ମାସ ପୂର୍ବରୁ ସୁରତ ଚାଲିଯାଇଥିଲେ । ହେଲେ କରୋନାର ପ୍ରକୋପ ତାଙ୍କୁ ଛାଡ଼ିନଥିଲା । ଶ୍ୱାସ ନେବାରେ ଅସୁବିଧା ହେବାରୁ ଭଗବାନଙ୍କୁ ଡ଼ାକ୍ତର ଖାନାକୁ ନିଆଯାଇଥିଲା । ଅମ୍ରୋଲି ଅଚଂଳର କୌଣସି ଡ଼ାକ୍ତର ଖାନାରେ ତାକୁ ବେଡ଼ ମିଳିନଥିଲା । ସୁରତ ସହରର ଅନ୍ୟ ଏକ ଘରୋଇ ମେଡ଼ିକଲରେ ସଂନ୍ଧ୍ୟା ସମୟରେ ତାଙ୍କୁ ଚିକିତ୍ସାର ସୁଯୋଗ ମିଳିଲା ।

୭୦ ହଜାର ଦେଲେ ବେଡ଼ ଜଇନ୍ କରାଯିବ ବୋଲି ଡ଼ାକ୍ତରଖାନା କର୍ତୃପକ୍ଷ କହିବାରୁ ଭଗବାନଙ୍କ ସମ୍ପର୍କୀୟ ଟଙ୍କା ସୁବିଧା କରି ସେଠାରେ ଚିକିତ୍ସା ଆରମ୍ଭ କରାଇଲେ । ହେଲେ ଚିକିତ୍ସା ବିଳମ୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପହଁଚିବାପରେ ଗାଁରେ ରହୁଥିବା ସ୍ତ୍ରୀ ଓ ମା ସହ ୧୫ ବର୍ଷର ପୁଅ ଓ ୧୩ ବର୍ଷର ଝିଅର ପାଦ ତଳୁ ମାଟି ଖସିପଡ଼ିଥିଲା । କିଭଳି ସେମାନେ ଚଳିବେ ଓ ମେଡ଼ିକାଲ ପାଇଁ କରାଯାଇଥିବା କରଜକୁ କିପରି ସୁଝିବେ ଏନେଇ ଚିନ୍ତାରେ ପରିବାରର ଆଖିରୁ ଲୁହ ସୁଖୁନି ।