ଓଡିଶା ଫେରାଇ ଆଣିବା ପାଇଁ ହାତ ଯୋଡି ଅନୁରୋଧ ପ୍ରବାସୀ ଓଡିଆ । ତାମିଲନାଡୁରେ ଫସିଥିବା ଓଡ଼ିଆ କହିଲେ, ନିର୍ଯାତନା ଦେଉଛନ୍ତି କମ୍ପାନୀ କର୍ମଚାରୀ । ମହାରାଷ୍ଟ୍ରରୁ ମଧ୍ୟ ଓଡିଶା ଫେରିବା ପାଇଁ ଲାଗିଛି ପ୍ରବଳ ଗହଳି ।

286

କନକ ବ୍ୟୁରୋ: ଭିଟାମାଟିକୁ ଛୁଟୁଛି ପ୍ରବାସୀ ଓଡିଆଙ୍କ ସୁଅ । କିଏ ବସରେ ତ ଆଉ କିଏ ଟ୍ରେନରେ ଓଡିଶା ଫେରୁଛନ୍ତି । ଗୁଜରାଟର ସୁରତରେ ସବୁଠୁ ଅଧିକ ପ୍ରବାସୀ ଓଡିଆ ଫସିରହିଥିବା ବେଳେ ଓଡିଶା ଫେରିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲୁଛି । ମୁମ୍ବାଇରେ ମଧ୍ୟ ଅଟକି ରହିଥିବା ଶହ ଶହ ପ୍ରବାସୀ ଓଡିଆ ଟ୍ରେନ୍ରେ ଓଡିଶା ଫେରୁଛନ୍ତି । ଦେଖନ୍ତୁ ଫେରିବା ଅପେକ୍ଷାରେ ଥିବା ପ୍ରବାସୀ ଓଡିଆଙ୍କ କିଭଳି ଭିଡ ଲାଗିଛି ମୁମ୍ବାଇରେ ।

ଭିଟାମାଟିକୁ ଫେରିବାକୁ ଲାଗିଛି ଭିଡ । ଶହ ଶହ ପ୍ରବାସୀ ଓଡିଆ ଚାତକ ପରି ଅନାଇ ରହିଛନ୍ତି । କେତେବେଳେ ବସ୍ ଗଡିବ ଆଉ ସେମାନେ ଷ୍ଟେସନରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଯିବେ ଜନ୍ମମାଟି ଓଡିଶା । ହେଲେ ଫେରିବା ଅପେକ୍ଷାରେ ଥିବା ପ୍ରବାସୀ ଶ୍ରମିକ ଭୁଲିଯାଇଛନ୍ତି ସାମାଜିକ ଦୂରତା କଣ । କାରଣ, ଦୁଇ ମାସ ହେଲାଣି କରୋନା ବେଶ୍ କନ୍ଦାଇଛି ।

ଜୀବିକା ଠପ୍ ହୋଇଯିବା ପରେ ଜୀବନ ବଂଚାଇ ନିଜ ଘରକୁ ଫେରିବାରେ ବ୍ୟାକୁଳ ପ୍ରବାସୀ ଓଡିଆ ବସ ପାଖରେ ରୁଣ୍ଡ ହୋଇଛନ୍ତି । ସମସ୍ତେ ମୁମ୍ବାଇର ମହଲଗାଁଓରେ ଦୀର୍ଘ ଦିନ ହେଲା କାମ କରୁଥିଲେ । ହେଲେ କରୋନା ପାଇଁ ଦୁଇ ମାସ ହେଲା ସବୁ ବନ୍ଦ ହୋଇଯାଇଛି । କମ୍ପାନୀରେ ତାଲା ଝୁଲୁଛି । ଠିକା ସଂସ୍ଥା ବି କାମ ବନ୍ଦ କରିଦେଇଛି । ଏଭଳି ସ୍ଥିତିରେ ଦୁଇ ମାସ ହେଲା ଅଟକି ରହିଥିଲେ ଶହ ଶହ ଓଡିଆ । ଏବେ ଭିଟାମାଟି ଓଡିଶାକୁ ଫେରିବାକୁ ବାଟ ଫିଟିଛି ।

ପାଖାପାଖି ୧୧ଶହରୁ ଅଧିକ ପ୍ରବାସୀ ଓଡିଆ ବାହାରିଛନ୍ତି ଓଡିଶା ଅଭିମୁଖେ । ୧୪ ତାରିଖ ସକାଳେ ଟ୍ରେନ୍ ପହଁଚିବ । ପରେ ସେଠାରୁ ସ୍ୱତନ୍ତ୍ର ବସରେ ନିଜ ନିଜ ଜିଲ୍ଲାକୁ ସେମାନଙ୍କୁ ନିଆଯିବ । ୨୧ ଦିନର କ୍ୱାରେଂଟିନ୍ ପରେ ଘରକୁ ଫେରିବେ ପ୍ରବାସୀ ଓଡିଆ ।
ପ୍ରଥମେ ନିଜ ଟଙ୍କାରେ ବସ୍ ଆୟୋଜନ କରି ଓଡିଶା ଫେରିଥିଲେ ପ୍ରବାସୀ ଓଡିଆ । ଏହାପରେ ପ୍ରବାସୀ ଓଡିଆଙ୍କୁ ଘରକୁ ଫେରାଇଆଣିବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।