ଦାଦନ ଖଟିବାକୁ ଯାଇଥିଲେ, ମିଷ୍ଟର ଛତିଶଗଡ ହୋଇଗଲେ । 

323

କନକ ବ୍ୟୁରୋ : ବଲିଉଡରେ ଅନେକ ଓଡିଆ ନାଁ କରିଛନ୍ତି । ସେ କଣ୍ଠଶିଳ୍ପୀ ଭାବେ ହୁଅନ୍ତୁ ବା ଅଭିନେତା ଭାବେ । ହେଲେ ନିୟମଗିରି ଅଂଚଳର ଜଣେ ଯୁବକ ଦାଦନ ଖଟିବାକୁ ଯାଇ ଫ୍ୟାସନ ଡିଜାଇନର ବନିଯିବା ନିଶ୍ଚୟ ଟିକେ ଭିନ୍ନ ଘଟଣା । ଆସନ୍ତୁ ଜାଣିବା କିଏ ସେଇ ଯୁବକ ।  ଯିଏ ଦାଦନ ଖଟିବାକୁ ଯାଇ ଫ୍ୟାସନ ଡିଜାଇନର ସୋ’ର ଜଜ୍ ବନିଛନ୍ତି ।

ଟିକିଏ ସୁଯୋଗ ଓ ସହଯୋଗ ମିଳିଲେ ପ୍ରତିଭା ପ୍ରସ୍ଫୁଟିତ ହୁଏ । ବ୍ୟକ୍ତି ଯେତେ ଅଭାବ ଭିତରେ ଥିଲେ ବି ସଫଳତା ତାକୁ ବାଟ କଢେଇ ନିଏ । ଉପଯୁକ୍ତ ପ୍ଲାଟଫର୍ମ ମିଳିଲେ ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ପାଲଟି ଯାଆନ୍ତି ଯୁବ ପ୍ରତିଭା । ଏଇ ଯେମିତି ସଫଳତା ରାସ୍ତାରେ ଆଗକୁ ବଢୁଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକୋଣା ଗାଁର ଯୁବ ପ୍ରତିଭା ଅଜୟ ସୁନା ।

ଦାଦନ ଖଟିବାକୁ ଯାଇ ବଦଳିଗଲା ଅଜୟଙ୍କ ଭାଗ୍ୟ । ଫ୍ୟାସନ ଡିଜାଇନର ପାଲଟିଗଲେ ନିୟମଗିରିର ଯୁବକ । ବାପା-ମାଆଙ୍କ ମୃତ୍ୟୁ ପରେ ପିଲାଟି ଦିନରୁ ଅନେକ ସଂଘର୍ଷ କରିଛନ୍ତି ଅଜୟ । ସମୟ କ୍ରମେ ଦାଦନ ଖଟିବାକୁ ଛତିଶଗଡ଼ ଚାଲିଯାଇଥିଲେ । ଆଉ ସେଠାରେ ବଦଳି ଯାଇଛି ତାଙ୍କ ଜୀବନ । ଦାଦନ ଶ୍ରମିକରୁ ସେ ବନି ଯାଇଛନ୍ତି ମିଷ୍ଟର ଛତିଶଗଡ । ୨୦୨୦ରେ ଛତିଶଗଡରେ ଆୟୋଜିତ ମିଷ୍ଟର ଛତିଶଗଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏହି ଟାଇଟଲ ହାତେଇଛନ୍ତି । ଏହାପରେ ଫ୍ୟାସନ ଡିଜାଇନ ଜୟ ସୋନି ଭାବେ ଏକ ନୂଆ ପରିଚୟ ଗଢିଛନ୍ତି ନିୟମଗିରିର ଅଜୟ ସୁନା ।

ଏବେ ବଡ଼ ବଡ଼ ଫ୍ୟାସନ୍ ସୋର ଜଜ୍ ସିଟରେ ବସି ଅନ୍ୟମାନଙ୍କୁ ମନୋନୀତ କରୁଛନ୍ତି ନିୟମଗିରି ଏହି ଯୁବ ପ୍ରତିଭା । ୨୦୨୧ରେ ଫେସନ ହଣ୍ଟ ସୋ’ର ଜଜ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଅଜୟ ।