ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି କ୍ରିସ ମୋରିସଙ୍କ ଜର୍ସିରେ ଓଡିଆ ଯୁବକଙ୍କ ନାଁ : କୋଭିଡ ଯୋଦ୍ଧା ନିଳାଚଳ ପରିଡାଙ୍କୁ ସମ୍ମାନ ଜଣାଇ ନାଁ ଲେଖିଲେ ମୋରିସ ; ଜାଣନ୍ତୁ କିଏ ଏହି ନିଳାଚଳ ପରିଡା?

9,188

କନକ ବ୍ୟୁରୋ : କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି । ଏଥିପାଇଁ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ ଓଡିଆ କୋଭିଡ ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଛନ୍ତି । ଏହାସହ ମୋରିସ ନିଜ ଟ୍ୱିଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି ନିଳାଚଳ ପରିଡା ଲେଖିଛନ୍ତି ।

ଏନେଇ ମୋରିସ ଟ୍ୱିଟ୍ କରି କହିଛନ୍ତି ଲକଡାଉନ ସମୟରେ ନୀଳାଚଳ ପରିଡା ପନିପରିବା ଦୋକାନ କରି ବରିଷ୍ଠ ନାଗରିକଙ୍କୁ ମାଗଣାରେ ପରିବା ଦେଇଥିଲେ । ନୀଳାଚଳଙ୍କୁ ସାଲ୍ୟୁଟ । ମୁଁ ତାଙ୍କୁ ଉତ୍ସର୍ଗ କରି ଜର୍ସି ପିନ୍ଧିଛି ।

କେବଳ ମୋରିସ ନୁହେଁ ବାଙ୍ଗାଲୋରର ସମସ୍ତ ଖେଳାଳି ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ଉତ୍ସର୍ଗ କରିଛନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ ଜର୍ସିରେ ଜଣେ କୋଭିଡ ଯୋଦ୍ଧା ସିମରନଜିତ ସିଂ ଙ୍କ ନାଁ ଲେଖିଛନ୍ତି । ଏହାସହ ସେ ଟ୍ୱିଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି ସିମରନତିଜ ସିଂ ଲେଖିଛନ୍ତି । ସେହିପରି ଚହଲ ମଧ୍ୟ ନିଜ ଜର୍ସିରେ ଡ. ସଚିନ ନାୟକ ଓ ଡେଭିଲିୟର୍ସ ପାରିତୋଶ ପନ୍ତଙ୍କ ନାଁ ଲେଖିଛନ୍ତି ।

କିଏ ନିଳାଚଳ ପରିଡା?

ନିଳାଚଳ ପରିଡା ଜଣେ ଓଡିଆ ପର୍ବତାରୋହି । ତାଙ୍କ ଘର ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ । ଆଠ ବର୍ଷ ହେବ ପାର୍ଟ ଟାଇମ ଡ୍ରାଇଭର କାମ କରିବା ପରେ ସେ ନିଜ ସ୍ୱପ୍ନ ପୂରା କରିବାକୁ କିଛି ଟଙ୍କା ସଞ୍ଚୟ କରିଥିଲେ । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ ନିଳାଚଳ । ହେଲେ ସେହି ସମୟରେ ଲକଡାଉନ ଯୋଗୁଁ ତାଙ୍କ ଟିକେଟ ବାତିଲ ହୋଇଯାଇଥିଲା । ସେ ପୂର୍ବରୁ ଦେଶର ସର୍ବୋଚ ପର୍ବତ କାଙ୍ଗ୍ରି ଚଢିଥିବା କହିଛନ୍ତି ।

ତେବେ ତାଙ୍କ ଋଷିଆ ଯାତ୍ରା ବାତିଲ ହେବା ପରେ ସେ କୋଭିଡ ଯୁଦ୍ଧରେ ସରକାରଙ୍କୁ ସହାୟତା ପାଇଁ ଚିନ୍ତା କରିଥିଲେ । ତେଣୁ ସେ ଡେଲଟା ଛକ ନିକଟରେ ତାଙ୍କ ଭାଇମାନଙ୍କ ସହାୟତାରେ ବାଉଁଶ ବାନ୍ଧି ଏକ ପରିବା ଦୋକାନ କରିଥିଲେ । ଏହି ଦୋକାନରୁ ମିଳୁଥିବା ଲାଭ ଟଙ୍କାକୁ ସେ ରାଜ୍ୟ ସରକାରଙ୍କ କୋଭିଡ ଫଣ୍ଡକୁ ଦାନ କରୁଥିଲେ ।

ଏହାସହ ସେ ତାଙ୍କ ଦୋକାନ ସାମ୍ନାରେ ଲେଖିଛନ୍ତି ‘ମାସ୍କ ନାହିଁ ତ ପରିବା ନାହିଁ’ । ଅନ୍ୟପକ୍ଷରେ ଏଥିରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ପରିବା ଦେଉଥିଲେ । ସେ ତାଙ୍କ ଦୋକାନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିଥିଲେ । ଏହି ସମୟରେ ସେ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ସଚେତନ କରୁଥିଲେ ।