ପାକିସ୍ତାନରୁ ଫେରୁଛି ଓଡ଼ିଆ ପୁଅ । ୨୫ ବର୍ଷ ଜେଲରେ ରହିବା ପରେ ସୁନ୍ଦରଗଡକୁ ଫେରୁଛନ୍ତି ବିରଜୁ, ପ୍ରଶ୍ନ, ଗାଁକୁ ଆସିଲେ ରହିବେ କେଉଁଠି?

310

କନକ ବ୍ୟୁରୋ : ବିଦେଶ ମାଟିରୁ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ । ପାକିସ୍ତାନର କାଳ କୋଠରୀରେ ଅନିଶ୍ଚିତତା ଭିତରେ ଦିନ କାଟୁଥିବା ସୁନ୍ଦରଗଡର ବିରଜୁ ଶେଷରେ ୨୫ ବର୍ଷ ପରେ ଭାରତ ଫେରୁଛନ୍ତି । ଲାହୋର ଜେଲରୁ ପଞ୍ଜାବ ଅମୃତସରରେ ପହଞ୍ଚିବା ପରେ ତାଙ୍କ ଓଡିଶା ଆଣିବା ପାଇଁ ସେଠି ପହଞ୍ଚିଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ । ଏବେ ବିରଜୁଙ୍କ ଫେରିବା ବାଟକୁ ଚାହିଁ ରହିଛି ପୁରା ପରିବାର ।

ଲାହୋର ଏକ ଜେଲରେ ଦୀର୍ଘ ୨୫ ବର୍ଷ କାଟିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବିରଜୁ । ଭାରତ ସରକାରଙ୍କୁ ଅକ୍ଟୋବର ୨୬ରେ ୱାଘା ବର୍ଡର ଠାରେ ଅନ୍ୟ ଭାରତୀୟ ନାଗରିକଙ୍କ ସହ ବିର୍ଜୁଙ୍କୁ ହସ୍ତାନ୍ତର କରିଥିଲା ପାକିସ୍ତାନ । ବିର୍ଜୁ ଏବେ ଅମୃତସରର ନାରାୟଣଗଡରେ ଥିବା ବେଳେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପହଂଚି ବିର୍ଜୁଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ।

ବିରଜୁ ଜନ୍ମମାଟିକୁ ଫେରିଆସୁଥିବା ଖବର ଶୁଣି କଟଙ୍ଗ ଗାଁରେ ଖୁସିର ପରିବେଶ ଦେଖିବାକୁ ମିଳିଛି । ହେଲେ ବିରଜୁ ବାଟ ଚାହିଁ ଚାହିଁ ବାପା ମା ଆର ପାରିକୁ ଚାଲିଯାଇଛନ୍ତି ।ପୈତୃକ ଘର ଭାଙ୍ଗିରୁଜି ମାଟିରେ ମିଶିଗଲାଣି । ସେ ଆସିଲେ କେଉଁଠି ରହିବେ, କଣ କରିବେ ଏଭଳି ପ୍ରଶ୍ନ ପାହାଡ ଭଳି ଛିଡା ହୋଇଛି । ତେବେ ବିରଜୁ ଫେରିବା ପରେ ପର୍ଯ୍ୟାୟ କ୍ରମେ ସବୁ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୁତ୍ରା ବିଡିଓ ।