ସେଦିନ ମୃତ୍ୟୁର ଟ୍ରାକରେ ମାଡି ଆସୁଥିଲା ଲୌହଦାନବ । ଟ୍ରାକରେ ଫସିଯାଇଥିବା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଓଡିଆ ଲୋକ ପାଇଲଟ । ଓଡିଶାର ସୁଶାନ୍ତ ପ୍ରଧାନଙ୍କୁ ସାବାସୀ ଦେଲା ସାରା ଦେଶ…

178

କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ, ସାବାସୀ ପାଇଲେ । ଓଡିଆ ଲୋକ ପାଇଲଟଙ୍କ ସାହସକୁ ସଲାମ । ଜୁଲାଇ ୧୮, ୨୦୨୧ । ସେଦିନ ମୃତ୍ୟୁର ଟ୍ରାକରେ ମାଡି ଆସୁଥିଲା ଲୌହ ଦାନବ । ଜୀବନ ନେଇ ଯାଉଥିବା ବୃଦ୍ଧଙ୍କ ଉପରେ ପଡିଥିଲା ଯମର ନଜର । ଟ୍ରାକ ପାରି ହେଉଥିଲେ ୭୦ ବର୍ଷୀୟ ବୃଦ୍ଧ । ଆଉ ହଠାତ ଦୂରରୁ ଦ୍ରୁତଗାମୀ ଟ୍ରେନ ମାଡି ଆସୁଥିବା ଦେଖି ହଡବଡେଇ ଯାଇଥିଲେ ବୃଦ୍ଧ । କଣ କରିବେ କଣ ନାହିଁ କିଛି ଭାବି ପାରୁନଥିବା ବେଳେ ଭୟଭୀତ ଅବସ୍ଥାରେ ଟ୍ରେନ ଦେଖି ଟ୍ରାକରେ ପଡିଯାଇଥିଲେ ବୃଦ୍ଧ । ରେଳଧାରଣାରୁ ଉଠି ଦୌଡି ଯିବାକୁ ଦେହରେ ବଳ ନଥିବାରୁ ଉଠି ବି ପାରୁନଥିଲେ । ଆଉ ମୃତ୍ୟୁ ସହ ମୁହାଁମୁହିଁର ଏ ଦୃଶ୍ୟ ସାମ୍ନାରେ ଦେଖି ଚିତ୍କାର କରିଥିଲେ ଲୋକେ ।

ବୃଦ୍ଧଙ୍କୁ ବଞ୍ଚଇବାକୁ ହୋହାଲ୍ଲାର ଏ ଶବ୍ଦ ଲୋକ ପାଇଲଟଙ୍କ କାନରେ ପଡିଥିଲା । ବାସ୍ ତାପରେ ଉପସ୍ଥିତ ବୁଦ୍ଧି ଖଟାଇ, କାଳ ବିଳମ୍ବ ନକରି ଏମରଜେନ୍ସି ବ୍ରେକ୍ ମାରିଥିଲେ ଓଡିଆ ପୁଅ । ବୃଦ୍ଧଙ୍କୁ ବଞ୍ଚାଇବାକୁ ଓଡିଆ ରେଳ ଚାଳକ ସୁଶାନ୍ତ ପ୍ରଧାନ ଦେବଦୂତ ପରି ଉଭା ହୋଇଥିଲେ । ଆଉ ସଠିକ ସମୟରେ ସାହସର ସହ ସଠିକ ନିଷ୍ପତ୍ତି ନେଇଥିବାରୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ବୃଦ୍ଧ । ତେବେ ମୁମ୍ବାଇ କଲ୍ୟାଣୀ ଷ୍ଟେସନ ନିଟକରେ ଘଟିଥିବା ଏ ଲୋକଟାଙ୍କୁରା ଦୃଶ୍ୟକୁ ଗତ କିଛି ଦିନ ତଳେ ଦେଖିଥିଲା ପୂରା ଦେଶ । ଆଉ ଏବେ ସାମ୍ନାକୁ ଆସିଛନ୍ତି ବୃଦ୍ଧଙ୍କୁ ନୂଆ ଜୀବନ ଦେଇଥିବା ଓଡିଆ ଲୋକ ପାଇଲଟ ସୁଶାନ୍ତ ପ୍ରଧାନ ।

ଗଞ୍ଜାମ ଜିଲ୍ଲା ରାମଗଡ ଅରୁଣପୁର ଗାଁରେ ଲୋକ ପାଇଲଟ ସୁଶାନ୍ତ ପ୍ରଧାନଙ୍କ ଘର । ତେବେ ଓଡିଆ ପୁଅ ସୁଶାନ୍ତଙ୍କ ଏହି ସାହସ ପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ମିଳୁଥିବା ବେଳେ ରେଳମନ୍ତ୍ରୀ ବି ଶୁଭେଚ୍ଛା ଜଣାଇଛନ୍ତି । ରେଳ ବିଭାଗ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି ।