ମନ୍ତ୍ରୀଙ୍କ ଓଡ଼ିଆ ପ୍ରେମ ! ଓଡ଼ିଆ ଭାଷାରେ ଫାଇଲ ନ ଆସିଲେ ଫାଇଲ ଫେରାଇଦେବି, ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ମନ୍ତ୍ରୀଙ୍କ ଆହ୍ୱାନ

48

କନକ ବ୍ୟୁରୋ : ସରକାରୀ କାର୍ଯ୍ୟ ହେବ ଓଡ଼ିଆ ଭାଷାରେ । ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ଲେଖାହେବ ନାମଫଳକ । ଏହି ନିୟମକୁ କଡ଼ାକଡ଼ି କରିବାକୁ ଗତକାଲି ବିଧାନସଭାରେ ପାରିତ ହୋଇଛି ବିଲ୍ । ତେବେ ଗତ ମାର୍ଚ୍ଚ ମାସରେ ଏହି ବିଲକୁ ମଂଜୁରି ଦେଇଥିଲା କ୍ୟାବିନେଟ୍ । ଏହା ପରଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏ ନେଇ ପ୍ରକାଶ ପାଇଥିଲା ତତ୍ପରତା । ତେବେ ଓଡ଼ିଆ ଭାଷା ଆଇନକୁ ଲାଗୁ କରିବା ପାଇଁ ଆମେ କେତେ ପ୍ରସ୍ତୁତ?

କାର୍ଯ୍ୟକାରୀ ହେବ ଓଡ଼ିଆ ଭାଷା ଆଇନ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ବଡ଼ ବଡ଼ ପ୍ରତିଷ୍ଠାନ ଠାରୁ ଛୋଟ ଛୋଟ ଦୋକାନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଇଂରାଜୀରେ ନାମଫଳକ । ଏପରିକି ସରକାରୀ କାର୍ଯ୍ୟାଳୟରେ ଇଂରାଜୀରେ ଲେଖା ହୋଇଛି ନାମଫଳକ । କାଁ ଭାଁ ସ୍ଥାନରେ ଲେଖାହୋଇଛି ଓଡ଼ିଆରେ । ଯାହା ଓଡ଼ିଶା ଲୋକଙ୍କ ଓଡ଼ିଆ ପ୍ରୀତିକୁ ଦର୍ଶାଉଥିଲା । ତେବେ ସଚିବାଳୟ କର୍ମଚାରୀ ସଂଘ ଅନୁଯାୟୀ ସଚିବାଳୟରେ ଏବେ ମାତ୍ର ୧୫ରୁ ୨୦ ପ୍ରତିଶତ କାର୍ଯ୍ୟ ଓଡ଼ିଆ ଭାଷାରେ ହୋଇପାରୁଛି । ଶତପ୍ରତିଶତ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ ରହିଛି ଅନେକ ଆହ୍ୱାନ ।

ନୂଆ ଭାଷା ଆଇନରେ ରହିଛି ଦଣ୍ଡ ବିଧାନ ବ୍ୟବସ୍ଥା । ରାଜ୍ୟପାଳଙ୍କ ସ୍ୱୀକୃତି ପାଇବା ପରେ କଡ଼ାକଡ଼ି ଭାବେ ଲାଗୁହେବ ଆଇନ । ସରକାରୀ ସ୍ତରରେ ବହୁଳ ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ ଦିଆଯିବ, ବ୍ୟତିକ୍ରମ ହେଲେ ଦିଆଯିବ ଦଣ୍ଡ । ସେପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ କହିବା କଥା ୫୦ ହଜାର ବ୍ୟବସାୟିକ ପ୍ରତଷ୍ଠାନ ଓଡ଼ିଆରେ ନାମଫଳକ ଲେଖିସାରିଛନ୍ତି ।ଜିଲ୍ଲାପାଳମାନେ ଜିଲ୍ଲାର ବ୍ୟବସାୟୀମାନଙ୍କୁ ସଚେତନ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ମାସ ପରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ନିୟମ । ଏଥିରେ ଖିଲାପ ହେଲେ ୨ ହଜାରରୁ ୨୫ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ ହେବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ।

ନୂଆ ଆଇନ ସ୍ୱାଗତ କରିବା ସହ କଠୋର ଆଭିମୁଖ୍ୟ ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଯଦି କୌଣସି ଫାଇଲ ଓଡ଼ିଆରେ ଲେଖା ହୋଇନଥିବ, ତାକୁ ଫେରାଇ ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ବିଧାନସଭାରେ ଓଡ଼ିଆ ଭାଷା ଅଧିନିୟମ ପାରିତ ହୋଇଯାଇଛି । ଏବେ ଅପେକ୍ଷା କେବେ ବାହାରିବ ବିଜ୍ଞପ୍ତି, ଆଉ କେବେ ଏହା ନେବ ବାସ୍ତବ ରୂପ ।