କନକ ବ୍ୟୁରୋ : ରୋଜଗାର ଆଶାରେ ମାଲେସିଆ ଯାଇଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ତାରାକାନ୍ତ ମଲ୍ଲିକ । କିଛି ଟଙ୍କା ରୋଜଗାର କରିବେ । ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ହେଲେ ମାଲେସିଆରେ ଦଲାଲ ଫାଶରେ ପସିଗଲେ ତାରାକାନ୍ତ ।
ପ୍ରଥମେ କିଛି ଦିନ କଷ୍ଟେମଷ୍ଟେ ଚଳିଲେ, ପରେ ଦଲାଲ ତାଙ୍କଠାରୁ ପାସପୋର୍ଟ ନେଇଗଲେ । ଫଳରେ ମାଲେସିଆରେ ଏକ ପ୍ରକାର ବନ୍ଦୀ ଭାବରେ ରହିଯାଇଥିଲେ ତାରାକାନ୍ତ । ଘରକୁ କିପରି ଫେରିବେ ସେ ନେଇ ଚିନ୍ତାରେ ଥିଲେ । ଘରକୁ ଫେରିବେ କି ନାହିଁ ସେନେଇ ମଧ୍ୟ ଆଶଙ୍କାରେ ଥିଲେ ତାରାକାନ୍ତ । କିନ୍ତୁ କିଛି ଓଡ଼ିଆ ସମାଜର ସହଯୋଗ ଯୋଗୁ ୭ ବର୍ଷ ପରେ ସେ ଓଡ଼ିଶା ଫେରିଛନ୍ତି । ଓଡ଼ିଶା ଫେରିବା ପରେ ମାଲେସିଆର ସେହି ସଂଘର୍ଷ ଦିନର କାହାଣୀ କନକ ନ୍ୟୁଜରେ ବଖାଣିଛନ୍ତି । କେତେ ଅସୁବିଧାରେ ମାଲେସିଆରେ ପ୍ରତିଟି ଦିନ ବିତୁଥିଲା ତାହା କ୍ୟାମେରା ଆଗରେ ବଖାଣିଛନ୍ତି ତାରାକାନ୍ତ ।