ଥମୁନି ଶ୍ରମିକଙ୍କ ବିପଦପୂର୍ଣ୍ଣ ଘର ବାହୁଡା: ଚେନ୍ନାଇରୁ ନୂଆପଡା ଅଭିମୁଖେ ସାଇକେଲରେ ବାହାରିଲେ ୨ ଶ୍ରମିକ; ୧୨ ଶହ କିମି ଯାତ୍ରାରେ ଫେରୁଛନ୍ତି ଜନ୍ମମାଟି

312

କନକ ବ୍ୟୁରୋ: ଥମୁନି ଶ୍ରମିକଙ୍କ ବିପଦପୂର୍ଣ୍ଣ ଘର ବାହୁଡା । ଚେନ୍ନାଇରୁ ନୁଆପଡା ଅଭିମୁଖେ ସାଇକେଲରେ ବାହାରିଛନ୍ତି ୨ ଶ୍ରମିକ । ଚେନ୍ନାଇ ମେଦବାକମ ଠାରୁ ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ବଡପଦର ଗାଁ ର ଦୂରତା ପ୍ରାୟ ୧୨ ଶହ କିଲୋମିଟର । ତେବେ ଗତ ୬ ଦିନ ପୂର୍ବରୁ ଆଲୋକ ପୋରାଭାଇ ଓ ନନ୍ଦ ଛତରିଆ ନୂଆ ସାଇକେଲ ଧରି ଚେନ୍ନାଇ ଠାରୁ ଯାତ୍ରା ଆରମ୍ଭ କରି ଥିବା ବେଳେ ଗତ କାଲି ରାତି ରେ ୮୫୦ କିଲୋମିଟର ଯାତ୍ରା ସାରି ମାଲକାନଗିରି ପହଁଚି ଥିଲେ ଏହି ଦୁଇ ଯୁବକ ।

ଅନ୍ୟପଟେ, ସୋମବାର ସୁରଟରୁ ୪ଟି ବସ ଓଡିଶା ଅଭିମୁଖେ ବାହାରିଥିବା ବେଳେ ଗତକାଲି ଆଉ ୪ଟି ବସ ପ୍ରବାସୀଙ୍କୁ ନେଇ ସୁରତରୁ ବାହାରିଛି । ସୁରତ ଜିଲ୍ଲାପାଳଙ୍କ ଅନୁମତି ପତ୍ର ନେଇ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । ଏହି ୪ଟି ବସରୁ ୩ଟି ବସ ଗଂଜାମ ଯିବା ପାଇଁ ଆସୁଥିବା ବେଳେ ଗୋଟିଏ ବସ ନୟାଗଡକୁ ଆସିବ ବୋଲି ଜଣାପଡିଛି । ପ୍ରତିବସରେ ୩୬ ଜଣ ଲେଖାଏଁ ଯାତ୍ରୀ ଯାଇପାରିବେ ବୋଲି ସୁରତ ଜିଲ୍ଲାପାଳ ଦେଇଥିବା ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ସୁରତ ଜିଲ୍ଲାପାଳ ଓ ଓଡିଶାକୁ ଆସୁଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଓଡିଆଙ୍କୁ ଓଡିଶା ଫେରିବାକୁ ଅନୁମତି ମିଳିଛି । ଦୁଇ ଦିନରେ ମୋଟ ୮ଟି ବସ ଯୋଗେ ଗୁଜରାଟ ସୁରତରୁ ଓଡିଶା ଅଭିମୁଖେ ବାହାରିଛନ୍ତି ପ୍ରାୟ ୪ଶହ ଓଡିଆ ।

ସେପଟେ ଜଗତସିଂହପୁର ଜିଲ୍ଲାର ନୂୂଆପଡା ଜିଲ୍ଲାକୁ ବସରେ ଗଲେ ୮୦ ଶ୍ରମିକ । ପ୍ରଶାସନ ଏହି ଶ୍ରମିକଙ୍କୁ ଦୁଇଟି ବସ ଯୋଗେ ତିର୍ତ୍ତୋଲ ବ୍ଲକ ଅଂଚଳରୁ ନିଜ ଜନ୍ମମାଟି ନୂଆପଡା ଜିଲ୍ଲାକୁ ପଠାଇଛି । ଜିଲ୍ଲାରେ ଫସି ରହିଥିବା ହଜାରେରୁ ଅଧିକ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଯାଇଛି । ଜଗତସିଂହପୁର ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ତେଣୁ ଗ୍ରୀନ ଜୋନରେ ଥିବା ଜିଲ୍ଲାର ଶ୍ରମିକଙ୍କୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।