ଓଡିଶା ଆଖିରେ ଲୁହ ଆଣିଦେଲା ଛତିଶଗଡ ନରସଂହାର । ନକ୍ସଲ ହମଲାରେ ଓଡିଆ ଯବାନ ସହିଦ ହେବା ପରେ ପରିବାରରୁ ଆସିଲା ଛାତିଥରା ଦୃଶ୍ୟ ।

213

କନକ ବ୍ୟୁରୋ: ଖାଲି ଖାଲି ହାତ, ଶ୍ରୀହୀନ ସିନ୍ଥି, ସଂସାରଟା ସାରା ଖାଲି ଶୂନ୍ୟତା ହିଁ ଶୂନ୍ୟତା । ତମେ ଗଲା ପରେ ଏ ଲୁହ ଆଖିରେ ରହୁନି । କୋହକୁ ବି ଛାତିରେ ଚପେଇ ହେଉନି । କେମିତି ଚପେଇବି ଯେ, କୁନି କୁନି ପିଲାଗୁଡା ଯେତେବେଳେ ପଚାରୁଛନ୍ତି ବାପା କାହାନ୍ତି ବୋଲି, ସେତେବେଳେ ସେ ନିଷ୍ପାପ ଶିଶୁଙ୍କୁ କି ଉତ୍ତର ଦେବି ? କଣ କହି ବୁଝାଇବି? କହି କି ପାରିବି ତମ ବାପାଙ୍କ ଜୀବନ ନକ୍ସଲ ନେଇଯାଇଛନ୍ତି ବୋଲି । ଏ ନିଷ୍ଠୁର ସତ କହିବା ଅପେକ୍ଷା ନିଜେ କାନ୍ଦି କାନ୍ଦି ଲୁହ ନିଗାଡିବା ଭଲ । ବୋଧେ ସେଇଥିପାଇଁ ତୁନି ହେଉନି ଯବାନଙ୍କ ପରିବାର, ବାହୁନି ବାହୁନି କାନ୍ଦୁଛନ୍ତି ସହିଦ ବୀର ଓଡିଆ ଯବାନଙ୍କ ପତ୍ନୀ ।

ଛତିଶଗଡରେ ନକ୍ସଲଙ୍କ ନରସଂହାର ସାରା ଦେଶର ଛାତିକୁ ଦୋହଲାଇ ଦେଇଥିବା ବେଳେ ଓଡିଆ ଯବାନଙ୍କ ସହିଦ ଖବର ଶୁଣିବା ପରେ ଲୁହରେ ଭିଜିଛି ଓଡିଶାର ଆଖି । ବିଜାପୁରରେ ବର୍ବରତା ରଚିଥିବା ନକ୍ସଲଙ୍କ ପାଇଁ କିଏ ପୁଅ ହରାଇଛି, କିଏ ସ୍ୱାମୀ ହରାଇଛି ପୁଣି କିଏ ବାପା ଡାକିବା ଆଗରୁ ବାପାକୁ ଲୁହ ଛଳଛଳ ଆଖିରେ ଶେଷ ବିଦାୟ ଦେଇଛି । ଆଉ ଏହାରି ଭିତରେ ଓଡିଆ ଯବାନ ସୁବାସ ନାୟକଙ୍କ ସହିଦ ଖବର ପାଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ପୁଅକୁ ହରାଇ ବୁଢୀ ମାଆ ପାଟିରୁ ଶବ୍ଦ ବାହାରୁନି । କଣ କହିବ କଣ ନାହିଁ କିଛି ଜାଣି ପାରୁନି ।
ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ଗାଁର ସୁବାସ ନାୟକ ମାଓବାଦୀଙ୍କ ମୃତ୍ୟୁର ଫାଶରେ ଫସି ପ୍ରାଣ ହରାଇଛନ୍ତି ।

ଦୀର୍ଘଦିନ ହେବ ଛତିଶଗଡ ବାସଗୁଡାରେ ରହିଆସୁଥିଲେ ସୁବାସ । ବାପା ମାଆ ଇଟା ଖପରା ତିଆରି କରିବାକୁ କଳାହାଣ୍ଡିରୁ ବିଜେପୁରର ଦୁର୍ଗମ ଗାଁ ବାସାଗୁଡାକୁ ଯାଇଥିଲେ ଆଉ ସେବେଠାରୁ ସେଠାରେ ରହୁଥିଲେ ସେମାନେ । ତେବେ ୨୦୧୮ରେ ଛତିଶଗଡ ପୋଲିସରେ ଯୋଗଦେଇଥିଲେ ସୁବାସ । ବର୍ଷକ ତଳେ ବାସଗୁଡାରେ ନକ୍ସଲ ଆକ୍ରମଣ ହୋଇଥିଲା, ଆଉ ସାହାସୀ ସୁବାସ ନକ୍ସଲଙ୍କ ଗ୍ୟାଙ୍ଗ ଉପରେ ଆକ୍ରମଣ କରି ଘଉଡାଇ ଦେଇଥିଲେ । ଏହା ପରେ ହିଁ ଏସପିଓ ଥିବା ସୁବାସଙ୍କ ପ୍ରମୋଶନ ହୋଇ ଡିଆରଜି ଯବାନ ଭାବେ କାମ କରୁଥିଲେ ସୁବାସ । ଆଉ ଗତ ୩ରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇ ଶେଷରେ ସହିଦ ହୋଇଛନ୍ତି ସୁବାସ ।

ସେପଟେ ନୂଆ ନୂଆ ବାପା ଡାକୁଥିବା ପିଲାଙ୍କ ମୁହଁରେ ସବୁଦିନ ପାଇଁ ସମାଧି ନେଇଛି ବାପା ଶବ୍ଦ । ବାପାଙ୍କୁ ଭଲରେ ବୁଝିବା ଆଗରୁ ବାପା ବିଦାୟ ନେଇଛନ୍ତି । ବାପାଙ୍କ ପାଖରୁ ସେ କଠୋରତା ଭିତରେ ସ୍ନେହ ଟିକକ ପାଇବା ପୂର୍ବରୁ ବାପା ପରପାରିକୁ ଚାଲିଯାଇଛନ୍ତି । ବାପା ଏବେ କୁନି କୁନି ପିଲାଙ୍କ ପାଇଁ ଦୂର ଆକାଶର ଅତିଥି । ନକ୍ସଲ କିଏ, ସେମାନେ ବାପାଙ୍କୁ କାହିଁକି ହତ୍ୟା କଲେ ଏକଥା ବୁଝିବାକୁ ବୟସ ହୋଇନି ଏ ନିଷ୍ପାପ ଶିଶୁଙ୍କର । ଖାଲି ଏ ନୀରିହ ଆଖି ନରହନ୍ତା ନକ୍ସଲଙ୍କୁ ନିରବରେ ପ୍ରଶ୍ନ କରୁଛି, ଆମ ବାପାଙ୍କୁ ମାରିଲ କାହିଁକି ?