କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ନିଖୋଜ ୨୨ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକ୍କିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ସରୋଜ ନିଖୋଜ ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର ।
ସରୋଜଙ୍କ ବନ୍ୟାରେ ନିଖୋଜ ହେବା ଖବର ପୁରା ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି । ସରୋଜ ସୁରକ୍ଷିତ ଉଦ୍ଧାର ପାଇଁ ହନୁମାନଙ୍କ ମନ୍ଦିରରେ ଦୀପ ଜାଳି ନାମ ସଂକିର୍ତନ କରିଛନ୍ତି ପରିବାର ସହ ଗାଁଲୋକ । ବଜରଙ୍ଗ ବାଲି ତାଙ୍କୁ ସାହା ହୋଇ ସୁରକ୍ଷିତ ଫେରାଇ ଆଣନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପରିବାର ସହ ଗାଁଲୋକ । ୨୦୧୨ରେ ସେନା ବାହିନୀରେ ସରୋଜ ଯୋଗ ଦେଇଥିଲେ । ଏହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା ।
ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ଗତକାଲି ଦିନ ୧୧ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଛନ୍ତି ତାଙ୍କ ବଡ଼ ଭାଇ ମନୋଜ ସାହୁ ।