ଆଜି ଓଡିଶା ଆସିବ କାଶ୍ମୀର ଆତଙ୍କୀ ଆକ୍ରମଣର ସହିଦ ପ୍ରଦୀପ ପଣ୍ଡାଙ୍କ ମର ଶରୀର ! ସୁନ୍ଦରଗଡ ପୈତୃକ ଗାଁରେ ଶୋକାକୁଳ ପରିବେଶ

36

କନକ ବ୍ୟୁରୋ: ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଜଣେ ଯବାନ । ଏହି ଓଡିଆ ସହିଦଙ୍କ ନାଁ ପ୍ରଦୀପ କୁମାର ପଣ୍ଡା । ସିଆରପିଏଫରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ପ୍ରଦୀପ । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଲିପିଲୋଇରେ ।

ସୋମବାର ସହିଦ୍ ପ୍ରଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି । ଏ ନେଇ ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ଜଣାଇଛନ୍ତି ସିଆରପିଏଫ କର୍ତ୍ତୃପକ୍ଷ । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବାରୁ ମୃତଦେହ ଉଦ୍ଧାର ହୋଇପାରିନଥିଲା ।  ପ୍ରଦୀପଙ୍କ ମରଶରୀର ଗତକାଲି ଓଡିଶା ଆସିପାରି ନଥିଲା । ବିମାନ ନଥିବା ଓ ପୋଷ୍ଟମର୍ଟମ ବାକି ଥିବାରୁ ସହିଦ୍ ପ୍ରଦୀପଙ୍କ ମରଶରୀର ଆଜି ଓଡିଶା ଆସିବ ବୋଲି ସିଆରପିଏଫ ପକ୍ଷରୁ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସେପଟେ, ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଏହା ଆତଙ୍କବାଦୀମାନଙ୍କ ଭୀରୁତାର ପରିଚୟ ଏବଂ ଯବାନମାନଙ୍କ ତ୍ୟାଗର ଫଳ କେବେ ବୃଥା ଯିବନି ବୋଲି କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର ମଧ୍ୟ ପାକିସ୍ତାନକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି । ପାକିସ୍ତାନ ନିଜର ପ୍ରବୃତ୍ତି ନବଦଳାଇବା ଯାଏଁ ଦୁଇ ଦେଶ ମଧ୍ୟରେ କୌଣସି କ୍ରୀଡ଼ା ମଧ୍ୟ କରାଯିବନି ବୋଲି ସେ କହିଛନ୍ତି । ପାକିସ୍ତାନର ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ ଓ ଭାରତ ସୀମାରେ ପଶି ସେନାଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିଶୋଧ ନିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ।

ସେହିପରି ପାକିସ୍ତାନର ଏଭଳି ଆଭିମୁଖ୍ୟକୁ କେବଳ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଜବାବୀ କାର୍ଯ୍ୟାନୁଷ୍ଠାନ ହିଁ ବଦଳାଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ରଖିଛନ୍ତି । ଫଳରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ସମ୍ଭାବ୍ୟ ପରିସ୍ଥିତି ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉରି ସେକ୍ଟର ଆକ୍ରମଣ ପରେ ଭାରତ ସରକାର ସେପ୍ଟେମ୍ବର ୨୯ରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ ଯେଉଁଥିରେ ପ୍ରାୟ ୪୦ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।