ଦୁର୍ଘଟଣା ପରେ ବିଛଣାରେ ଅଟକି ଯାଇଛି ଯବାନଙ୍କ ଜୀବନ । ୩ ବର୍ଷ ହେଲା ଶଯ୍ୟାଶାୟୀ ଓଡିଶା ପୁଲିସର ଯବାନ ।

ରାମ ସିଂ ବୁରୁଦାଙ୍କୁ ଅଣନିଶ୍ୱାସୀ କଲାଣି ଯନ୍ତ୍ରଣା ଜର୍ଜରିତ ଜୀବନ

144

କନକ ବ୍ୟୁରୋ: ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିଲେ । ସି.ଆର.ପି.ଏଫ ଓ ପାରା ମିଲିଟାରୀ ଫୋର୍ସକୁ ଜଙ୍ଗଲ ଭିତରେ ବାଟ ଦେଖାଉଥିଲେ । ତେବେ ସାମାନ୍ୟ ଏକ ଦୁର୍ଘଟଣା ପରେ ସେହି ବୀର ଯବାନ ଆଜି ଅସହାୟ । ୩ ବର୍ଷ ଧରି ଶଯ୍ୟାଶାୟୀ ଓଡିଶା ପୁଲିସର ଯବାନ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତେବେ ବାରମ୍ବାର ବିଭିନ୍ନ ଡାକ୍ତରଖାନା ଦୌଡି ଦୌଡି ନୟାନ୍ତ ହୋଇ ପଡିଛନ୍ତି ପରିବାର ଲୋକେ । ଆଉ ଚିକିତ୍ସା କରାଇବା ଲାଗି ସମ୍ବଳ ମଧ୍ୟ ନାହିଁ । ଏପରି ସ୍ଥିତିରେ ମାଲକାନଗିରି ଡାକ୍ତରଖାନାରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଯବାନଙ୍କ ପରିବାର ।

ଦୁର୍ଘଟଣାରେ ବଦଳି ଯାଇଛି ଯବାନଙ୍କ ଜୀବନ । ଶଯ୍ୟାଶାୟୀ ହୋଇଯାଇଛନ୍ତି ଓଏପିଏଫ୍ ଯବାନ । ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଓଏପିଏଫ ଯବାନ ରାମ ସିଂ ବୁରୁଦା । ୩ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ସ୍ତ୍ରୀ ଓ ବାପାମାଆ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ନେଇ ନୟନ୍ତ ହେଲେଣି । ହେଲେ ଏବେ ଆଉ ସମ୍ବଳ ନାହିଁ । ସରକାରଙ୍କ ପକ୍ଷରୁ ରାମ ସିଂଙ୍କୁ ମାସିକ ୧୨ ହଜାର ଟଙ୍କା ମିଳୁଛି । ସେଥିରେ ତାଙ୍କ ଚିକିତ୍ସା ସହ ପରିବାର ପ୍ରତିପୋଷଣ ହେଉଛି । ଏବେ ଆର୍ଥିକ ସ୍ଥିତି ବିଗିଡି ଯିବାରୁ ରାମ ସିଂଙ୍କୁ ଅନ୍ୟ ଡାକ୍ତରଖାନାକୁ ନନେଇ ମାଲକାନଗିରି ଡାକ୍ତରଖାନାରେ ରଖି ଚିକିତ୍ସା କରାଉଛନ୍ତି ପରିବାର ଲୋକେ ।

ରାମ ସିଂ, ୨୦୧୦ରେ ମାଲକାନଗିରି ଜିଲ୍ଲାରେ ଏସ୍.ପି.ଓ ଭାବେ ନିଯୁକ୍ତି ପାଇଥିଲେ । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ୨୦୧୪ ଫେବୃଆରୀ ମାସରେ ତାଙ୍କୁ ଓ.ଏ.ପି.ଏଫ ବାହିନୀରେ ସ୍ଥାୟୀ ନିଯୁକ୍ତି ମିଳିଲା । ଜଗଦଲପୁର ସି.ଆର୍.ପି.ଏଫ୍ କ୍ୟାମ୍ପରେ ମୁତୟନ ହୋଇଥିଲେ ରାମ ସିଂ । ୨୦୧୮ ଅକ୍ଟୋବର ୧୫ରେ ମୋଟର ସାଇକେଲରେ ଜଗଦଲପୁରରୁ ବରଗଡ ପଦ୍ମପୁର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ରାମ ସିଂ । ଆଉ ସେହି ଦିନ ଠାରୁ ଅକାମି ହୋଇଯାଇଛି ତାଙ୍କ ଶରୀରର ବିଭିନ୍ନ ଅଙ୍ଗ । ଦୁଇ ବର୍ଷ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ବିଭାଗ ପକ୍ଷରୁ କିଛି ଆର୍ଥିକ ସହାୟତା ସହ ବନ୍ଦ ପଡିଥିବା ଦରମା ମିଳିବା ଆରମ୍ଭ ହୋଇଥିଲା । ତେବେ ଘରେ ବୁଢା ବାପା-ମାଆ ସାଙ୍ଗକୁ ପିଲା ଛୁଆଙ୍କୁ ନେଇ ୧୨ ହଜାର ଟଙ୍କାରେ ଚଳିବା କଷ୍ଟକର ହୋଇପଡିଛି ।