କନକ ବ୍ୟୁରୋ: ନିଜ ବୀର ପୁଅକୁ ହରାଇ ଆଜି ଜନ୍ମମାଟି ଗୋପାଳପୁର ଯେତିକି କାନ୍ଦୁଛି । ସେତିକି ବି ଗର୍ବ କରୁଛି । କାରଣ ଦେଶ ମାତୃକା ପାଇଁ ବୀରପୁଅ ପ୍ରାଣ ବଳି ଦେଇ ସହିଦ ହୋଇଯାଇଛି । ଚୀର ନିଦ୍ରାରେ ଶୋଇଯାଇଛନ୍ତି ଗୋପାଳପୁରର ବୀରପୁତ୍ର । କର୍ମଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ଓଡିଆ ଯବାନ ପ୍ରକାଶ ଶିଅଳ ।
ତେବେ ସହିଦଙ୍କ ପ୍ରାର୍ଥୀବ ଶରୀରକୁ ଜନ୍ମଭୂମି ଅଭିମୁଖେ ନିଆଯାଉଥିବା ବେଳେ ବାଟେ ବାଟେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସ୍ଥାନୀୟ ଲୋକେ । ବାଇକ୍ ଶୋଭଯାତ୍ରାରେ ନିଜ ମାଟିକୁ ପାଛୋଟି ନିଆଯାଉଛି । ସହିଦ ଯବାନ ଅମର ରହେର ନାରା ଦେଇ ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ପିଲାଠୁ ବୁଢା ଆଜି ତାଙ୍କ ଗୁଣଗାନ କରୁଛନ୍ତି ଏବଂ ଦେଶର ସୁନା ପୁଅ ପାଇଁ ଏକ ବିଶାଳ ତ୍ରିରଙ୍ଗା ଧରି ପିଲାମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ସେପଟେ ଗାଁରେ ଅପେକ୍ଷା କରିଛନ୍ତି ମାଆ, ସ୍ତ୍ରୀ, ଦୁଇ କୁନି କୁନି ପିଲା ଏବଂ ସମ୍ପର୍କୀୟ ।
ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଛନ୍ତି ଗୋପାଳପୁର ଗାଁର ପ୍ରକାଶ ଶିଅଳ । ସେ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାମ କରୁଥିଲେ । ସାଥୀ ଯବାନଙ୍କ ସହ ସୁକ୍ମା ଜିଲ୍ଲା ମିନାପା ଅଂଚଳର ଏକ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରକାଶଙ୍କ ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ତାଙ୍କ ଜୀବନ ଚାଲିଯାଇଥିଲା । ଏହି ଖବର ଜଣାପଡ଼ିବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ୱରରେ ଶୋକ ପ୍ରକାଶ ଛାୟା ଖେଳି ଯାଇଛି ।