ରଜ ପାଇଁ ଗାଁକୁ ଆସୁଥିଲେ ଯବାନ । ଅଧାରାସ୍ତାରେ ଅନ୍ୟର ସାହାଯ୍ୟ କରୁ କରୁ ହାରିଲେ ଜୀବନ । ଲୁହ ଜଳ ଜଳ ଆଖିରେ ବିଦାୟ ଜଣାଇଲା ସାରା ଗାଁ ।

Advertisment
ରଜ ପାଇଁ ଗାଁକୁ ଆସୁଥିଲେ ଯବାନ । ଅଧାରାସ୍ତାରେ ଅନ୍ୟର ସାହାଯ୍ୟ କରୁ କରୁ ହାରିଲେ ଜୀବନ । ଲୁହ ଜଳ ଜଳ ଆଖିରେ ବିଦାୟ ଜଣାଇଲା ସାରା ଗାଁ ।

କନକ ବ୍ୟୁରୋ: ଭୂଇଁକୁ ଆଉଁସି ଆଉଁସି ଭେଣ୍ଡିଆ ପୁଅକୁ ଖୋଜୁଛି ମା । ଆଉ ଯବାନ ସ୍ୱାମୀକୁ ବାହୁନି ବାହୁନି ଖୋଜୁଛି ସ୍ତ୍ରୀ । କାଇଁକି ନା, ତା ମଥାର ସିନ୍ଦୁର ସବୁଦିନ ପାଇଁ ଲିଭିଯାଇଛି, ତା ହାତର ଶଙ୍ଖା ଗାଁକୁ ଆସୁ ଆସୁ ଅଧା ବାଟରେ ଭାଙ୍ଗିଯାଇଛି ।

ମଶାଣୀରେ ଜଳିଛି ଗାଁର ସାହାସୀ ପୁଅ, ସିଆରପିଏଫ୍ ଯବାନ ଅମୂଲ୍ୟର ଜୁଇ । ଅନ୍ୟର ସାହାଯ୍ୟ କରୁ କରୁ, ସମସ୍ତଙ୍କୁ ପର କରି ସେ ସେପାରିକୁ ଚାଲିଯାଇଛନ୍ତି । ଲୌହଦାନବର ରକ୍ତଭୋଜିରେ ଲହୁ ଲୁହାଣ ହେଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ଅମୂଲ୍ୟ ।

ସ୍ତ୍ରୀ ଟାଣ କରି କହିଥିଲା, ଏଥର ରଜରେ ଗାଁକୁ ଆସିବ । ପିଲାମାନେ ବି ନୂଆ ଡ୍ରେସ ଆଉ ଜାମା ପଟ୍ଟା ପାଇଁ ଜିଦ୍ କରିଥିଲେ । ତେଣୁ ଗାଁରେ ରଜ ପାଳିବାକୁ ଚାକିରିରୁ ଛୁଟି ନେଇ ଗାଁକୁ ଫେରୁଥିଲେ ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛିଆଁ ଗାଁର ପୁଅ ଅମୂଲ୍ୟ ସାମନ୍ତସିଂହାର । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଅଧା ବାଟରେ ଯମ ଜଗିଥିବା ଭଳି, ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଥିଲେ ଏ ବୀର ଯବାନ ।

୨୦୦୫ ମସିହାରେ ସିଆରପିଏଫ୍ ବାଟାଲିୟନରେ ଯୋଗ ଦେଇଥିଲେ ଅମୂଲ୍ୟ । ସେବେଠୁ ଦୀର୍ଘ ୧୭ ବର୍ଷ ହେଲା ସେ ଭାରତ ମାଆର ସେବା କରିଆସୁଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କର ପୋଷ୍ଟିଂ ଛତିଶଗଡ ବିଜାପୁର ଜିଲ୍ଲାରେ ଥିବାବେଳେ । ରଜପାଇଁ ଛୁଟି ନେଇ ସେ ଗାଁ କୁ ଫେରୁଥିଲେ । ହେଲେ ଇଚ୍ଛାପୁର ରେଲୱେ ଷ୍ଟେସନରେ ଜଣେ ମହିଳାଙ୍କୁ ସାହାଯ୍ୟ କରୁ କରୁ ଅମୂଲ୍ୟ ନିଜେ ଦୁର୍ଘଟଣାର ଶିକାର ହୋଇଥିଲେ । ଆଉ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ।

ଗାଁ ମଶାଣୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅମୂଲ୍ୟଙ୍କୁ ଶେଷ ବିଦାୟ ଦେଇଛନ୍ତି ଗାଁ ଲୋକ । ହେଲେ ଏବେ ବି ସ୍ତ୍ରୀ ଆଖିରୁ ଲୁହ ଶୁଖିନି, ମା ମନରୁ କୋହ ଥମିନି । ଘର କବାଟକୁ ଆଉଜି ଆଉଜି ପୁଅ ଲୁହ ଗଡଉଥିବାବେଳେ, ନିଜ ଯବାନ ପୁଅକୁ ହରେଇ କାନ୍ଦୁଛି ଦୋଛିଆଁ ଗାଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe