ଓଡିଶାରେ ପହଞ୍ଚିଲା ସହିଦ ଓଡିଆ ଯବାନ ହେମନ୍ତଙ୍କ ମରଶରୀର ! ସେପଟେ ଜନ୍ମମାଟି ବେଗୁନିଆରେ ଶୋକର ଛାୟା ।

804

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲା ସହିଦ ଓଡିଆ ଯବାନ ହେମନ୍ତଙ୍କ ମରଶରୀର । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ହେମନ୍ତ ପଣ୍ଡାଙ୍କ ପାର୍ଥିବ ଶରୀରକୁ ଜମ୍ମୁ କାଶ୍ମୀରରୁ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଛି । ଏହାପରେ ହେମନ୍ତଙ୍କ ମରଶରୀରକୁ ଶୋଭାଯାତ୍ରାରେ ଜନ୍ମମାଟି ବେଗୁନିଆର ଅଠରାଙ୍ଗକୁ ନିଆଯାଉଛି । ସେପଟେ ସହିଦଙ୍କ ବାପା କହିଛନ୍ତି, ତାଙ୍କ ପୁଅ ସହିଦ ହୋଇଥିବାରୁ ସେ ଗର୍ବିତ । ଜାମ୍ମୁ-କାଶ୍ମରୀର ବାରାମୁଲା ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଛନ୍ତି ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା । ଯବାନଙ୍କ ସହିଦ ହେବା ଖବର ପହଂଚିବା ପରେ ବେଗୁନିଆ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ।

ଯେଉଁ ଅଂଚଳରେ ଏହି ଯବାନ-ଆତଙ୍କବାଦୀ ଏନକାଉଂଟର ହୋଇଥିଲା, ସେହି ଅଂଚଳରେ କାଲି ସକାଳୁ ଦୁଇ ଜଣ ଆତଙ୍କବାଦୀ ଏନକାଉଁଟରରେ ନିହତ ହୋଇଛନ୍ତି । ବଡ କଥା ହେଉଛି, ଜାମ୍ମୁ-କାଶ୍ମୀର ଏହି ବାରାମୁଲା ଅଂଚଳକୁ ଆତଙ୍କବାଦୀ ମୁକ୍ତ ଅଂଚଳ ଭାବରେ ଘୋଷଣା କରାଯାଇଥିଲା । ହେଲେ ପୁଣି ଆତଙ୍କବାଦୀ ଗତିବିଧି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।