ଦେଶର ପାୱାରଫୁଲ୍ ଅଫିସର ପି.କେ ମିଶ୍ର । ଓଡ଼ିଆ ପୁଅ ପ୍ରମୋଦ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ତାଙ୍କୁ କାହିଁକି ମୋଦିଙ୍କ ଅତି ନିକଟତର କୁହାଯାଏ ? ପଢ଼ନ୍ତୁ…

498

କନକ ବ୍ୟୁରୋ: ଦିଲ୍ଲୀ ଦରବାରରେ ଓଡ଼ିଆ ପୁଅଙ୍କ ଦବଦବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟତର କୁହାଯାଉଥିବା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଧିକାରୀ, ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ପ୍ରଧାନମନ୍ତ୍ରୀଙ୍କ ଅତିରକ୍ତ ପ୍ରମୁଖ ସଚିବ ଥିବା ପ୍ରମୋଦ ମିଶ୍ରଙ୍କୁ ପ୍ରମୁଖ ସଚିବର ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ନୃପେନ୍ଦ୍ରେ ମିଶ୍ର ମିଶ୍ର ପ୍ରମୁଖ ସଚିବ ପଦ ଛାଡିବା ପରେ ପ୍ରମୋଦଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ ।

ଏହାରି ଭିତରେ ଦିଲ୍ଲୀ ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ ପ୍ରମୋଦ ମିଶ୍ର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ନିକଟତର । ଏମିତି କି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ପ୍ରମୋଦଙ୍କ ପରାମର୍ଶ ଲୋଡ଼ିଥାନ୍ତି ବୋଲି ଚର୍ଚ୍ଚା ହୁଏ । ତେବେ ମୋଦି ଏବଂ ପ୍ରମୋଦଙ୍କ ଏହି ଘନିଷ୍ଠତା ଆଜିର ନୁହେଁ । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରମୋଦ ମିଶ୍ର ରାଜ୍ୟର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଳାଇଥିଲେ ।

କୁହାଯାଏ, ପ୍ରମୋଦଙ୍କ କାର୍ଯ୍ୟ ଦକ୍ଷତା ମୋଦିଙ୍କୁ ପ୍ରଭାବିତ କରିଥିବାରୁ ଗୁଜୁରାଟ୍ କ୍ୟାଡରର ଏହି ଆଇଏଏସ୍ଙ୍କୁ ଦିଲ୍ଲୀର କ୍ଷମତାକ୍ଷେତ୍ରକୁ ନେଇ ଆସିଥିଲେ । ଦେଶର ପ୍ରଭାବଶାଳୀ ପ୍ରଶାସକଙ୍କ ତାଲିକାରେ ଥିବା  ପ୍ରମୋଦ ମିଶ୍ର, ଓଡ଼ିଶାର ବିକାଶ ପ୍ରସଙ୍ଗ ଆସିଲେ ଅତି ସମ୍ବେଦନଶୀଳ ଭାବେ ନିଷ୍ପତି ନିଅନ୍ତି । ସମ୍ବଲପୁରର ମୂଳ ବାସିନ୍ଦା ଥିବା ପ୍ରମୋଦ ଓଡ଼ିଶାର ଅନେକ ବିକାଶମୂଳକ କାମକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଏହାର କାର୍ଯ୍ୟକାରୀ କରିବା ଦିଗରେ ତତ୍ପର ଥାନ୍ତି ବୋଲି ଚର୍ଚ୍ଚା ହୁଏ । ଏମିତି କି ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପଛରେ ପ୍ରମୋଦଙ୍କ ଭୂମିକା ଅତିଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୁହାଯାଏ ।

ବ୍ୟୁରୋକ୍ରାସି ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ଶୀର୍ଷରେ ସ୍ଥାନରେ ରହିଥିଲେ ଓଡିଆ ପୁଅ ପ୍ରମୋଦ ମିଶ୍ର । ପ୍ରମୋଦ ମିଶ୍ର ସମ୍ବଲପୁର ଜିଏମ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।  ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତର କରିଥିଲେ । ଏହା ପରେ ଭାରତୀୟ ପ୍ରଶାସନିକ ସେବାରେ ପ୍ରମୋଦ ମିଶ୍ର ଯୋଗଦେଇଥିଲେ । ଜାତିସଂଘ ପକ୍ଷରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି ।