କନକ ବ୍ୟୁରୋ : ‘ଜୟ ଜଗନ୍ନାଥ ରସଗୋଲା ଆମର’ ଏଭଳି ଉତ୍ତର ରଖି ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାରେ କଟକ ଝିଅ ସ୍ଥିତିପଦ୍ମା ଦାଶ । ‘ଜି’ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ ‘ସାରେଗାମାପା’ରେ ଅଡିସନ୍‌ ସମୟ‌ର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ‘ସାରେଗାମାପା’ରେ ଥିବା ଜଜ୍‌ଙ୍କ ପ୍ରଶ୍ନର ଉତ୍ତର ନିଆରା ଢ଼ଙ୍ଗରେ ଦେଇ ସ୍ଥିତିପ୍ରଜ୍ଞା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ‌ଅଡ଼ିସନ୍‌ରେ ସଫଳ ହୋଇ ଟପ୍‌-୩୦ରେ ପହଞ୍ଚିଥିବା ସ୍ଥିତିପଦ୍ମା ଅବଶ୍ୟ ପରେ ବାଦ୍ ପଡିଛନ୍ତି ।

Advertisment

କଟକ ସେଲ୍‌ଟର ଛକର ବାସିନ୍ଦା ସୁଶିଲ ଚନ୍ଦ୍ର ଦାଶ ଓ ଶୈଳବାଳା ଦାଶଙ୍କ ଝିଅ ସ୍ଥିତିପଦ୍ମାଙ୍କ ବୟସ ୨୦ ବର୍ଷ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏଲଏର ଦ୍ବିତୀୟ ବର୍ଷର ଛାତ୍ରୀ। ସଙ୍ଗୀତ ପାଇଁ ପିଲାବେଳୁ ରୁଚି ରଖିଥିବା ସ୍ଥିତିପଦ୍ମା ପ୍ରଥମେ ଗୁରୁ ତନ୍ମୟ ହୋତା ଓ ଏବେ ଗୁରୁ ସରୋଜ କୁମାର ପରିଡ଼ା ଓ ନିଜ ବଡ଼ବାପା ସୁବାସ ଦାଶଙ୍କ ଠାରୁ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି। ଗତ ସେପ୍ଟେମ୍ବର ମାସରେ ମୁମ୍ବାଇ ଠାରେ ‘ଜି’ ଟିଭିରେ ପ୍ରସାରିତ ରିଅଲିଟି ସୋ ‘ସାରେଗାମାପା’ରେ ଅଡିସନ ଦେଇଥିଲେ। ଯେଉଁଥିରେ ସଙ୍ଗୀତକାର ହିମେସ ରେସମିୟା, ଭିଶାଲ ଦଦ୍‌ଲାନୀ, ଶଙ୍କର ମହାଦେଭନ ଜଜ୍‌ ଭାବେ ରହିଥିଲେ।

ଅଡ଼ିସନ୍‌ ପାଇଁ ଷ୍ଟେଜରେ ପହଞ୍ଚିବା ପରେ ନିଜ ନାମ ଓ କେଉଁ ସ୍ଥାନରୁ ଆସିଛନ୍ତି କହିବା ପରେ ଓଡ଼ିଶାର କଟକରୁ ଆସିବା ଶୁଣିବା ମାତ୍ରେ ହିଁ ହଠାତ୍‌ ଜଜ୍‌ ହିମେସ ରେସମିୟା ତାଙ୍କୁ ‘ରସ‌ଗୁଲା କିସ୍‌ କା ହେ’ ଓଡ଼ିଶା କା ହେ ୟା ବେଙ୍ଗଲ କା… ବୋଲି ପଚାରିଥିଲେ। ଏହି ପ୍ରଶ୍ନ ପୂର୍ବରୁ ମଧ୍ୟ କିଛି ପ୍ରତିଯୋଗୀଙ୍କୁ ପଚରା ଯାଇଥିବାବେଳେ ଉତ୍ତରରେ ସେମାନେ ରସ‌ଗୁଲା ବଙ୍ଗଳାର ବୋଲି କହିଥିଲେ। ହେଲେ ଏହି ପ୍ରଶ୍ନ ଶୁଣିବା ମାତ୍ରେ ସ୍ଥିତିପଦ୍ମା ତୁରନ୍ତ ଉତ୍ତର ରଖିଥିଲେ ଯେ ଏହି କଥାକୁ ଅଧିକ ନ ବଢ଼େଇ ଏତିକି କହିବାକୁ ଚାହେଁ ଯେ ‘ଜୟ ଜଗନ୍ନାଥ… ରସଗୋଲା ଆମର’। ପରେ ଜଜ୍‌ ତାଙ୍କୁ କହିଥିଲେ ଯେ ବଙ୍ଗଳା ଲୋକେ କୁହନ୍ତି ରସଗୁଲା ଆମର….ଏହାର ଉତ୍ତରରେ ସ୍ଥିତିପଦ୍ମା କହିଥିଲେ, ଯିଏ ଯାହା କହୁ ମୋର କେବଳ ଗୋଟିଏ କଥା ‘ଜୟ ଜଗନ୍ନାଥ… ରସଗୋଲା ଆମର’।

ଏହି କଥାକୁ ରୋକ୍‌ ଠୋକ୍‌ ଭାବେ କହିଥିବାରୁ ଏହାକୁ ଶୁଣି ଜଜ୍‌ ମଧ୍ୟ ଖୁସି ହୋଇଥିଲେ। ପରେ ଅଡ଼ିସନ୍‌ରେ ରାଗ ମିଆ କି ମହ୍ଲାରର ଟୁକ୍‌ଡ଼ା ‘ବାଦଲ ଘୁମର ବଢ଼ ଆୟେ’ ଗୀତ ଗାଇ ସ୍ଥିତିପଦ୍ମା ସ‌ିଲେକ୍ଟ ମଧ୍ୟ ହୋଇଥିଲେ। ଟପ୍‌-୩୦ରେ ପହଞ୍ଚିଛନ୍ତି ଓ ପରେ ଏଲିମିନେଟ୍‌ ହୋଇଛନ୍ତି। ସ୍ଥିତିପଦ୍ମା କୁହନ୍ତି ଯେ ପିଲାବେଳୁ ବଡ଼ବାପାଙ୍କୁ ଗୀତ ଗାଇବାରେ ଦେଖି ପରେ ନିଜେ ଗୀତ ଶିଖିବା ଆରମ୍ଭ କରିଥିଲି। ପ୍ରଥମ ରିଅଲିଟି ସୋ ଭାବରେ ‘ଜି’ ଟିଭିରେ ପ୍ରସାରିତ ‘ସାରେଗାମାପା’ରେ ଅଡିସନ୍‌ରେ ଭାଗ ନେଇଥିଲି।