କନକ ବ୍ୟୁରୋ : ମୁମ୍ବାଇ କ୍ରାଇମବ୍ରାଂଚର ତଦନ୍ତ ପରେ ଜଣାପଡିଛି, ସୁଟକେସରେ ଥିବା ମୃତଦେହ ଜଣେ ଓଡିଆ ଯୁବତୀଙ୍କର ଥିଲା । ଯୁବତୀ ଜଣଙ୍କ ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନିର ପ୍ରତିମା କିଶପଟ୍ଟା । ଆଉ ତାଙ୍କୁ ତଂଟି ଚିପି ହତ୍ୟା କରିଛି ବୟଫ୍ରେଣ୍ଡ ଅସକର ମନୋଜ ବାର୍ଲା । ବଡ କଥା ହେଉଛି, ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଅସକର, ମୃତଦେହକୁ ଟ୍ରଲି ବ୍ୟାଗରେ ପୂରାଇ ଏଣେତେଣେ ଘୁରି ବୁଲିଥିଲା । ଶେଷରେ ନିର୍ମାଣଧୀନ କୁଲା ମେଟ୍ରୋ ପ୍ରକଳ୍ପ ନିକଟରେ ଟ୍ରଲି ବ୍ୟାଗକୁ ଛାଡି ଫେରାର ହୋଇଯାଇଥିଲା । କିନ୍ତୁ ମୁମ୍ବାଇ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଂଚ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତାପରେ ସାମନାକୁ ଆସିଛି ପୂରା କାହାଣୀ ।
ମୁମ୍ବାଇର ଧରାବୀରେ ପ୍ରାୟ ଦୁଇ ବର୍ଷ ହେବ ପ୍ରତିମା, ଅସକର ସହ ଲିଭଇନରେ ରହୁଥିଲେ । ପ୍ରତିମା କିଶପଟ୍ଟା ଜଣଙ୍କ ଘରେ କାମ କରୁଥିଲେ । ଅସକର ଏକ ମିଠା ଦୋକାନରେ କାମ କରୁଥିଲେ । କିନ୍ତୁ ପ୍ରତିମାଙ୍କ ଚରିତ୍ରକୁ ନେଇ ଅସକର ସନ୍ଦେହ କରୁଥିଲା । ଆଉ ସେଥିପାଇଁ ସେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।
ପ୍ରତିମାଙ୍କ ମୃତ୍ୟୁ ଖବର ପାଇବା ପରେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।ଅଭିଯୁକ୍ତ ଅସକରକୁ ୩ ଦିନିଆ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଂଚ । ହତ୍ୟା ପଛର ପ୍ରକୃତ କାରଣ କଣ ସେ ନେଇ ଅଭିଯୁକ୍ତକୁ ପଚରାଉଚୁରା କରୁଛି । ତେବେ ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ମ୍ବମ୍ବାଇ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ କରିବ ବୋଲି ସୂଚନା ଦେଇଛି ।