ଓଡିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ

169

କନକ ବ୍ୟୁରୋ: ଓଡିଶା କୃଷି ଜଗତ ପାଇଁ ଖୁସି ଖବର । ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥା, ଭୁବନେଶ୍ୱର ଦ୍ୱାରା ଆପଣା ଯାଇଥିବା ପ୍ରଗତିଶୀଳ କୃଷକ ରାଧାଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ମାର୍ଚ୍ଚ ମାସ ୪ ତାରିଖ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିଲା ‘ପୁଷା କୃଷିମେଳା’ । ଏହାର ଉଦଯାପନୀ ସମାରୋହରେ ପୁରୀ ଜିଲ୍ଲା କଣାସ ବ୍ଲକର ଲୋକପାଳ ଗ୍ରାମର ରାଧାଶ୍ୟାମ ବିଶ୍ୱାଳଙ୍କୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ‘ଆଇ.ଏ.ଆର.ଆଇ ଇନୋଭେଟିଭ୍ କୃଷକ’ ଭାବରେ ସମ୍ବର୍ଦ୍ଧିିତ କରିଛନ୍ତି ।

ଜଳ ପ୍ରବନ୍ଧନ ସଂସ୍ଥାର ବୈଜ୍ଞାନିକମାନଙ୍କର ପରାମର୍ଶରେ ରାଧେଶ୍ୟାମ ବିଶ୍ୱାଳ ବୈଜ୍ଞାନିକ ପଦ୍ଧତିରେ ଧାନ, ଡାଲି, ତୈଳବୀଜ, ପଠଳ, ପନିପରିବା, ଦୁଗ୍ଧପାଳନ, ମାଛଚାଷ, କୁକୁଡା ପାଳନ, ଛତୁ ଚାଷ, କୃଷି ଯାନ୍ତ୍ରିକିକରଣ ତଥା ଜଳପ୍ରବନ୍ଧନ ଜ୍ଞାନକୌଶଳ ଇତ୍ୟାଦି ଅବଲମ୍ବନ କରି ବିଗତ ୫-୬ ବର୍ଷରେ ନିଜର ବାର୍ଷିକ ଆୟ ଦୁଇ ଲକ୍ଷ ୧୬ ହଜାରରୁ ସାତ ଲକ୍ଷ ୪୦ ହଜାର କରି ନିଜ କୃଷି ଆୟକୁ ତିନି ଗୁଣରୁ ଅଧିକ କରିପାରିଛନ୍ତି ।

ସେଥିପାଇଁ ତାଙ୍କୁ ବୈଜ୍ଞାନିକ ଓ ଅନ୍ୟାନ୍ୟ ମହଲରୁ ଶୁଭେଚ୍ଛା ଦିଆଯାଇଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଶୁଭେଚ୍ଛା ଦେବା ସହିତ ରାଧେଶ୍ୟାମ ବିଶ୍ୱାଳ ଆଗାମୀ ଦିନରେ ଓଡିଶାର ଅନ୍ୟାନ୍ୟ କୃଷକ ଭାଇ ଭଉଣୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।