କନକ ବ୍ୟୁରୋ: ଜାପାନ ଉପକୂଳରେ ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ ନିଜ ଘରକୁ ଫେରିଛନ୍ତି । ତାଙ୍କ ଦେହରେ କରୋନା ଭୂତାଣୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ମାନେସାରରେ ଥିବା କ୍ୱାରାଂଟାଇନ୍ ସେଂଟର କ୍ଲିନ୍ ଚିଟ୍ ଦେଇଥିଲା । ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା । ଜାପାନରୁ ଫେରିବା ପରେ ତାଙ୍କୁ ୧୪ ଦିନ ଧରି ହରିୟାଣାର ମାନେସାର ଠାରେ କ୍ୱାରାଂଟାଇନ୍ ସେଂଟରରେ ରଖାଯାଇଥିଲା ।
ଶିବାଶିଷଙ୍କର ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧୧ ତାରିଖରେ ନମୂନା ପରୀକ୍ଷା କରାଯାଇଥିଲା । ଦୁଇଟି ଯାକ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଫଳରେ ବ୍ରହ୍ମପୁରର ଶିବାଶିଷ ନାୟକଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଥିଲା । ଗତକାଲି ରାତିରେ ସେ ବ୍ରହ୍ମପୁର ଫେରିଛନ୍ତି । କରୋନାର କୋକୁଆ ଭୟ ଭିତରେ ଜାହାଜରେ ସେତେବେଳର ମୁହୂର୍ତ୍ତ କଷ୍ଟଦାୟକ ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିବାଶିଷ । ସେ କହିଛନ୍ତି, ଜାହାଜ ଭିତରେ ୨୪ ଘଂଟାରୁ ଅଧଘଂଟା ବାହାରକୁ ବାହାରିବାକୁ ଅନୁମତି ମିଳୁଥିଲା । ସମସ୍ତ ଯାତ୍ରୀ ଭୟରେ ଥିଲେ । ଠିକ ସେ ଖାଇବାକୁ ମିଳୁନଥିଲା । ଅଧିକାଂଶ ସମୟ ଫଳ ଖାଇ ରହିଥିଲେ ବୋଲି କହିଛନ୍ତି ଶିବାଶିଷ । କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
ଏପଟେ, କଟକର ଜଣେ ଯୁବକ ଫସି ରହିଛନ୍ତି ଇରାନରେ । ‘ଆରିଓ ମାର୍କନ ସି’ ନାମକ ଇରାନର ଏକ ମେରାଇନ୍ କଂପାନୀରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଯୋଗ ଦେଇଥିଲେ କଟକର ମୁଫିଜ ରହେମାନ୍ । କାର୍ଯ୍ୟରେ ଥାଇ ଘର ଲୋକଙ୍କ ସହ ଭିଡିଓ କଲ୍ ଜରିଆରେ ନିୟମିତ କଥା ହେଉଥିଲେ ମୁଫିଜ୍ । ତେବେ ଫେବ୍ରୁଆରୀ ୧୫ ତାରିଖରୁ ଆଉ ଘର ଲୋକଙ୍କ ସହ ତାଙ୍କର ସଂପର୍କ ହୋଇ ପାରୁନାହିଁ । ଇରାନରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଏବେ ମୁଫିଜକୁ ନେଇ ଚିନ୍ତାରେ ପରିବାର । ମୁଫିଜ କାମ କରୁଥିବା କଂପାନୀକୁ ଫୋନ କଲେ ପୁଅ ସଂପର୍କରେ କିଛି ଜଣାଉନଥିବା ଅଭିଯୋଗ କରିଛନ୍ତି ମୁଫିଜ୍ଙ୍କ ମାଆ । ସେ କହିଛନ୍ତି, ମୁଫିଜ୍ ଥିବା ଜାହାଜକୁ ସମୁଦ୍ର ମଝିରେ ଅଟକାଇ ରଖାଯାଇଛି । ରାଜ୍ୟ ସରକାର ହସ୍ତକ୍ଷେପ କରି ତୁରନ୍ତ ତାଙ୍କ ପୁଅକୁ ଘରକୁ ଫେରାଇ ଆଣିବା ଲାଗି କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ମୁଫିଜଙ୍କ ମାଆ ।