ସିକ୍କିମ୍ ବନ୍ୟାରେ ଏବେ ବି ନିଖୋଜ ଓଡ଼ିଆ ଇଞ୍ଜିନିୟର : ସପ୍ତାହେ ହେଲା କିଶୋର ମହାଜନଙ୍କ ମିଳୁନି ପତ୍ତା, ଚିନ୍ତାରେ ପରିବାର
କନକ ବ୍ୟୁରୋ : ସିକ୍କିମ୍ ବନ୍ୟାରେ ଏବେବି ନିଖୋଜ କାଲିମେଳା ଅଞ୍ଚଳର ଜଣେ ଯୁବ ଓଡ଼ିଆ ଇଞ୍ଜିନିୟର । ସପ୍ତାହେ ହେବ ନିଖୋଜ ଥିବା ଯୁବ ଓଡ଼ିଆ ଇଞ୍ଜିନିୟର ହେଉଛନ୍ତି ଏମଭି-୬୨ ଗାଁର ମିଠୁ ମହାଜନଙ୍କ ପୁଅ କିଶୋର ମହାଜନ । ଗତ ୩ ତାରିଖ ଅପରାହ୍ଣ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ଚିନ୍ତାରେ ଏବେ ପୁରା ପରିବାର ।

Kanak News is now on WhatsApp
Join and get latest news updates delivered to you via WhatsApp
କିଶୋର ହାଇଦ୍ରାବାଦର ଗ୍ରୀନ ଲାଇନ ସୋଲାର ଏନର୍ଜି ନାମକ ଏକ କମ୍ପାନରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଗତ ଏକ ମାସ ହେଲା କମ୍ପାନୀ କାମରେ ସିକ୍କିମ୍ ଯାଇଥିଲେ । ସିକ୍କିମର ଲୋଚନ ଘାଟିରେ ଥିବା ଆଇଟିବିପି ଯବାନଙ୍କ କ୍ୟାମ୍ପରେ ରହିଥିବା ପରିବାରକୁ ଜଣାଇଥିଲେ କିଶୋର । ପରେ ସେଠାରେ ବନ୍ୟାସ୍ଥିତି ଘଟିଥିବା ଟିଭିରେ ଖବର ଜାଣିବା ପରେ ପୁଅ ପାଖକୁ ଫୋନ କରିଥିଲେ । ହେଲେ ଫୋନ୍ ବନ୍ଦ ଥିବାରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ବୋଲି କହିଛନ୍ତି କିଶୋରଙ୍କ ବାପା ।
କମ୍ପାନୀକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ସଠିକ୍ ସୂଚନା ଦେଉନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକ । ଗତକାଲି ମାଲକାନଗିରି ଏସପିଙ୍କୁ ସାକ୍ଷାତ କରି ପୁଅର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଦିନେ ଦୁଇଦିନ ଭିତରେ ଅନୁସନ୍ଧାନ କରି ନିଖୋଜ ଯୁବ ଇଞ୍ଜିନିୟରଙ୍କ ସମ୍ପର୍କରେ ଖବର ଦେବେ ବୋଲି ଏସପି ପ୍ରତିଶ୍ରୁତି ଦେଇଥିବାର କହିଛନ୍ତି ବାପା ମିଠୁ ମହାଜନ ।