ନେଟୱର୍କ ନଥିଲା, ପାଠ ପଢିବାକୁ ସମୟ ମିଳୁନଥିଲା । କିନ୍ତୁ ତାହା ଭିତରେ ୟୁପିଏସସି ପରୀକ୍ଷାରେ ବାଜିମାତ୍ କଲେ ଓଡ଼ିଆ ଡାକ୍ତର ରୀନା ପ୍ରଧାନ ।

334

କନକ ବ୍ୟୁରୋ : ନେଟୱର୍କ ନଥିଲା, ପାଠ ପଢିବାକୁ ଠିକ୍ ସମୟ ମଧ୍ୟ ମିଳୁନଥିଲା । ସମସ୍ୟା ଏତେ ଥିଲା ଯେ ତାହା ଭିତରେ ସଫଳତା ଆଶା କରିବା ଏତେ ସହଜ ନଥିଲା । କିନ୍ତୁ ହାର ମାନିବା ପିଲା ଭିତରେ ସେ ନଥିଲେ । ସବୁ ସମସ୍ୟାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ, ଆଉ ୟୁପିଏସସି ପରୀକ୍ଷାରେ ୧୯୪ ର୍ୟାଙ୍କରେ କୃତକାର୍ଯ୍ୟ ହେଲେ । ଦୃଢ ମନୋବଳ ହିଁ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି । ଆଜ୍ଞା ହଁ ଆମେ କହୁଛୁ ଓଡ଼ିଆ ଝିଅ ତଥା ଡାକ୍ତର ରୀନା ପ୍ରଧାନଙ୍କ କଥା । ଯିଏ ୟୁପିଏସସି ପରୀକ୍ଷାରେ ୧୯୪ ର‍୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

ରୀନାଙ୍କ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଛି । ଅର୍ଥ ନୁହେଁ ବରଂ ମୋବାଇଲ ନେଟୱର୍କ ରୀନାଙ୍କ ସଫଳତାରେ ବଡ ବାଧକ ହୋଇ ଛିଡା ହୋଇଥିଲା । କିନ୍ତୁ ଦୃଢମନା ରୀନା ଏଥିରେ ହାର ମାନିନଥିଲେ । ନବରଙ୍ଗପୁରର ଏକ ଆଭ୍ୟନ୍ତରୀଣ ଅଞ୍ଚଳ ସାନମସିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ‌୨୦୧୯ରୁ ଅବସ୍ଥାପିତ ଡାକ୍ତର ରୀନା ପ୍ରଧାନ ରୋଗୀ ସେବା ସହ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେଠାରେ ନେଟ୍‌ୱର୍କ ସମସ୍ୟା ରହୁଥିବାରୁ ସାନଭାଇ ଆଶିଷ ବିଭିନ୍ନ ଷ୍ଟଡି ମେଟେରିଆଲ୍ ଡାଉନ୍‌ଲୋଡ୍‌ କରି ତାଙ୍କ ପାଖକୁ ପଠାଉଥିଲେ। ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ଦୃଢ଼ ନିଷ୍ଠା ଓ ପରିଶ୍ରମ ବଳରେ ୧୯୪ ର‍୍ୟାଙ୍କରେ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଝାରସୁଗୁଡ଼ା ସହର ସରବାହାଲ୍‌ ଅଞ୍ଚଳରେ ଡା. ରୀନା ପ୍ରଧାନଙ୍କ ଘର। ପିତା ଧରଣୀଧର ପ୍ରଧାନ ଲେଫ୍ରିପଡ଼ା ଏବିଡିଓ ଭାବେ ଅବସର ନେଇଥିଲାବେଳେ ମାଆ କଲ୍ୟାଣୀ ପ୍ରଧାନ ଜଣେ ଗୃହିଣୀ। ସାନଭାଇ ଆଶିଷ ବୁର୍ଲା ଭିସୁଟରେ ପ୍ରଥମ ବର୍ଷ ଏମଟେକ୍‌ ଛାତ୍ର। ପିଲାବେଳୁ ମେଧାବୀ ରୀନା ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ୍‌ ପରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରୁ +୨ ବିଜ୍ଞାନ ପଢ଼ିଥିଲେ। ଏହାପରେ ଭିମସାର୍‌ ବୁର୍ଲାରେ ଡାକ୍ତରୀ ପାଠ ପଢ଼ି ୨୦୧୬ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଅଳ୍ପ କିଛି ମାସ ପାଇଁ ସେ ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଥିଲେ ବି ଗତ ୩ ବର୍ଷ ହେଲା ଏଥିପାଇଁ ଅଧିକ ସମୟ ଦେଉଛନ୍ତି। ଏହା ତାଙ୍କର ତୃତୀୟ ଉଦ୍ୟମ ଥିଲାବେଳେ ଦ୍ବିତୀୟଥର ପାଇଁ ସାକ୍ଷାତକାର ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ।

ରୀନା କହିଛନ୍ତି, ଚାକିରି କରିବା ପରେ ମୋତେ ପାଠ ପଢିବାକୁ ଖୁବ୍ କମ ସମୟ ମିଳୁଥିଲା । ଏପରିକି କରୋନା ସମୟ ମୋ ପାଇଁ ସବୁଠୁ କଠିନ ଥିଲା । କିନ୍ତୁ ତା ଭିତରେ ମଧ୍ୟ ପରିଶ୍ରମ କରି ଚାଲିଥିଲି । ଅନେକ ବାଧା ଆସିଛି କିନ୍ତୁ ତାହା ସତ୍ତେ୍ୱ ମଧ୍ୟ ହାର ମାନିନି । ଯେଉଁଠାରେ ମୁଁ ଚାକିରି କରୁଥିଲି ସେଠାରେ ଇଣ୍ଟରନେଟର ସେଭଳି ସୁବିଧା ନଥିଲା । ନେଟୱର୍କ କେତେବେଳେ ଆସୁଥିଲା ତ ପୁଣି କେତେବେଳେ ଆସୁନଥିଲା । ୨ରୁ ୩ କିଲୋମିଟର ଚାଲିକି ଯାଇ ପ୍ରତିଦିନ ଇଣ୍ଟରନେଟରେ ଖବରକାଗଜ ପଢିବାକୁ ପଡୁଥିଲା । ଯେତେବେଳେ ରୋଗୀ ଡାକୁଥିଲେ ଯିବାକୁ ପଡୁଥିଲା । ତେଣୁ ପାଠପଢାର ଠିକ୍ ସମୟ କିଛି ନଥିଲା । ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । କିନ୍ତୁ ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ପାଠପଢା ଜାରି ରଖିଥିଲି । ଆଉ ଆଜି ତାହାର ଫଳ ମିଳିଛି । ଆଗକୁ ସ୍ୱାସ୍ଥ୍ୟକ୍ଷେତ୍ରରେ କାମ କରିବାକୁ ଇଚ୍ଛା ଅଛି । ସେହିଭଳି ଶିକ୍ଷାକ୍ଷେତ୍ରରେ କାମ କରିବାକୁ ଆଗ୍ରହ ଅଛି । କାରଣ ଏହି ଦୁଇ କ୍ଷେତ୍ରରେ ପରିବର୍ତ୍ତନ ହେଲେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ ।

ଏହାଛଡା ରୀନା କହିଛନ୍ତି, ଗୋଟିଏ ପ୍ରୟାସରେ ନହେଲେ ଭାଙ୍ଗି ପଡନ୍ତୁ ନାହିଁ । ଧୈର୍ଯ୍ୟ ରଖିବା ସହ କଠିନ ପରିଶ୍ରମ କରନ୍ତୁ ଫଳ ନିଶ୍ଚୟ ମିଳିବ । ନିଜ ସଫଳତା ନେଇ ବେଶ ଖୁସି ରୀନା ଭଗବାନଙ୍କ ଆଶୀର୍ବାଦ ସହ ନିଜ ବାପା, ମାଆ, ସାନଭାଇ, ବନ୍ଧୁ ପରିଜନ ଓ ଶୁଭଚିନ୍ତକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ଜଣେ ଡାକ୍ତର ଓ ମହିଳା ହୋଇଥିବା ଦୃ୍ଷ୍ଟିରୁ ପ୍ରଶାସନିକ ସେବାରେ ମହିଳାଙ୍କ ଉନ୍ନତି ପାଇଁ ଅଧିକ କାମ କରିବେ ବୋଲି କହିଛନ୍ତି। ବିଶେଷ କରି ମହିଳାଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ଦିଗରେ କାମ କରିବେ ବୋଲି ରୀନା କହିଛନ୍ତି।