ହ୍ୱିଲ ଚେୟାରରୁ ହୃଦୟ ଜିତିଲେ ଦିବ୍ୟାଙ୍ଗ କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ଦେଶରେ ଟପ୍ପର ହେଲେ ଓଡ଼ିଆ ପୁଅ ।

210

କନକ ବ୍ୟୁରୋ: ହ୍ୱିଲ୍ ଚେୟାରରେ ହାର ମାନିଲେନି କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲିଗାଲ ଷ୍ଟଡ଼ି ପେପର ବା ଆଇନ ବିଷରେ ସାରା ଦେଶରେ ଟପ୍ପର ହୋଇଛନ୍ତି  ଦିବ୍ୟାଙ୍ଗ କେଶବ ଚନ୍ଦ୍ର ପୃଷ୍ଟି । ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ଥିବା କେଶବ ଚାଲିବା, କଥା କହିବା ଓ ଲେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏତେ ସବୁ ବାଧା ବିଘ୍ନ ସତ୍ତେ୍ୱ ମଧ୍ୟ କେଶବଙ୍କ ଆଗରେ ସଫଳତା ମୁଣ୍ଡ ନୁଆଁଇଛି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସମଗ୍ର ଦେଶରେ ୯୬.୫ ପ୍ରତିଶତ ନମ୍ବର ରଖି ଉଦାହରଣ ସୃ୍ଷ୍ଟି କରି ଓଡ଼ିଶାର ନାଁକୁ ଗୌରାବନ୍ୱିତ କରିଛନ୍ତି କେଶବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ଦିଲ୍ଲୀର ସଂସ୍କୃତି ସ୍କୁଲର ଛାତ୍ର କେଶବ ହ୍ୱିଲଚେୟାରରେ ଚଳପ୍ରଚଳ କରି ଏଭଳି କୃତିତ୍ୱ ହାସଲ କରିଛନ୍ତି ।

ସୂଚନା ମୁତାବକ ଯାଜପୁର ଜିଲ୍ଲା ଦଶରଥ ଗାଁର କେଶବ ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ରହିଛନ୍ତି । ଯେଉଁଥି ପାଇଁ କେଶବ କଥା କହିବା, ଚାଲିବା ଏବଂ ଲେଖିବା ଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । କିନ୍ତୁ ତାଙ୍କର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହ୍ୱିଲଚେୟାର ମଧ୍ୟ ହାର ମାନିଯାଇଛି । ଆଉ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ସର୍ବାଧିକ ନମ୍ବର ରଖି ଦେଶରେ ଟପ୍ପର ହୋଇଛନ୍ତି  ।

ଅନ୍ୟପଟେ କେଶବଙ୍କ ବାପା ପିକେ ପୃଷ୍ଟି ଭାରତୀୟ ରାଜସ୍ୱ ସେବାର ଜଣେ ଅଧିକାରୀଭାବେ କାର୍ଯ୍ୟକରନ୍ତି । ଏବଂ କେଶବଙ୍କ ମା’ ଜଣେ ପୂର୍ବତନ ଶିକ୍ଷୟତ୍ରୀ । ହେଲେ କେଶବଙ୍କ ଭବିଷ୍ୟତ ଗଢିବା ପାଇଁ ଶିକ୍ଷୟତ୍ରୀ ଚାକିରିକୁ ବାଏ ବାଏ କରିଥିଲେ ମା ରୁକ୍ମଣୀ ପୃଷ୍ଟି । ଜନ୍ମରୁ କେଶବଙ୍କ ଏଭଳି ସ୍ୱାସ୍ଥ୍ୟବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ନପଡ଼ି କେଶବଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ତେବେ କେଶବଙ୍କ ଏହି ସଫଳତା ପଛରେ ସବୁଠୁ ବଡ ଭୂମିକା ରହିଛି ବଡ ଭଉଣୀ ଡକ୍ଟର ସୌମ୍ୟା ଶିବାନନ୍ଦାଙ୍କର । କେଶବଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଭଉଣୀ ସୌମ୍ୟା ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ଦାୟିତ୍ୱ ତୁଲାଉଥିଲେ । ଖାସକରି ପାଠ ପଢା କ୍ଷେତ୍ରରେ କେଶବଙ୍କୁ ସବୁ ପ୍ରକାର ସହାୟତା କରି ଆସୁଥିଲେ ଭଉଣୀ ସୌମ୍ୟା । ଯେଉଁଥିପାଇଁ ଆଜି କେଶବଙ୍କୁ ନେଇ ଓଡିଶା ଗର୍ବିତ ହୋଇଛି । ସବୁଠାରୁ ବଡ଼କଥା ହେଲା କେଶବ ଭବିଷ୍ୟତରେ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସଫଳତା ପରେ ବଖାଣିଛନ୍ତି ।