ଆମେରିକାରେ ଧାଇଁଲେ ୫ ଓଡିଆ ପୁଅ । ବିଶ୍ୱ ଦେଖିଲା, ସାବାସୀ ଦେଲା ।

518

କନକ ବ୍ୟୁରୋ : ଅକ୍ଟୋବର ୧୩ ତାରିଖ, ଆମେରିକାର ଚିକାଗୋ ସହର । ଅନ୍ତର୍ଜାତୀୟ ମାରାଥନରେ ଭାଗ ନେଇଥିଲେ ୪୪ ହଜାରରୁ ଉର୍ଧ୍ଵ ପ୍ରତିଯୋଗୀ । ୧୫୦ ଦେଶର ଏହି ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ୫ ଜଣ ଓଡ଼ିଆ । ଚିକାଗୋ ମାରାଥନ ପାଇଁ ୬ ହଜାର କିଲୋମିଟର ଦୂରରୁ ଛୁଟି ଆସିଥିଲେ ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆ ରଶ୍ମିକାନ୍ତ ନନ୍ଦ ଓ ଡାକ୍ତର ସନ୍ତୋଷ ପଟ୍ଟନାୟକ ।

ସେହିପରି ଚିକାଗୋରେ ରହୁଥିବା ୩ ଜଣ ଓଡ଼ିଆ ପିୟୁଷ ସ୍ୱାଇଁ, ସୁନୀଲ ମିଶ୍ର ଓ ଶୁଭେନ୍ଦୁ ଷଡ଼ଙ୍ଗୀ ମଧ୍ୟ ଏହି ମାରାଥନରେ ଭାଗ ନେଇଥିଲେ । ୫ ଜଣ ପ୍ରତିଯୋଗୀ ୪୨ କିଲୋମିଟରର ଏହି ମାରାଥନକୁ ୪ରୁ ୫ ଘଣ୍ଟାରେ ସମାପ୍ତ କରିଥିଲେ ।

୫ ଜଣ ମାରାଥନରଙ୍କ ମଧ୍ୟରୁ ରଶ୍ମିକାନ୍ତ ପୂର୍ବରୁ ୧୯ଟି ମାରାଥନରେ ଭାଗ ନେଇଥିବାବେଳେ ସନ୍ତୋଷ ପଟ୍ଟନାୟକଙ୍କର ଏହା ଅଷ୍ଟମ ମାରାଥନ ଥିଲା । ସେହିପରି ପିୟୁଷ ଓ ସୁନୀଲଙ୍କର ପଞ୍ଚମ ମାରାଥନ ଥିବା ବେଳେ ଶୁଭେନ୍ଦୁଙ୍କର ପ୍ରଥମ ମାରାଥନ ଥିଲା । ଓଡିଶା ପାଇଁ ଏବେ ଏହି ୫ ଜଣ ଓଡ଼ିଆ ପୁଅ ଗର୍ବ ଆଣିଛନ୍ତି । ଯାହାକୁ ନେଇ ଏମାନଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି ।