କନକ ବ୍ୟୁରୋ: କାମ୍ବୋଡିଆରେ ଫସିଥିବା ଓଡ଼ିଆ ଶ୍ରମିକ ଦୀନବନ୍ଧୁ ସାହୁଙ୍କ ଫେରିବା ନେଇ ଫିଟିଲା ବାଟ । କାନାଡାରେ ଥିବା ଗ୍ଲୋବାଲ ଓଡ଼ିଆ ଭଲୁଂଟିଅର ଆସୋସିଏସନର ସଦସ୍ୟ ସଂଜୟ ଦଳାଇଙ୍କ ସହାୟତାରେ ଭାରତ ଫେରୁଛନ୍ତି କାମ୍ବୋଡିଆରେ ଫସିଥିବା ଓଡ଼ିଆ ଯୁବକ । ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର ଏହି ଯୁବକ କୋଲକାତାରେ ପହଞ୍ଚିିବେ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ସଂଜୟ ।

Advertisment

କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ କାମ୍ବୋଡିଆ ଯାଇ ସେଠାରେ ଏକ କମ୍ପାନୀ କର୍ତୃପକ୍ଷଙ୍କ ଦ୍ୱାରା ବନ୍ଦୀ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ୨୫ଶହ ଡଲାର ଦେଲେ ଛାଡ଼ିବେ ବୋଲି ଦୀନବନ୍ଧୁଙ୍କୁ କହିଥିଲେ ଏଜେଣ୍ଟ । ପୁଅକୁ ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ ଦୀନବନ୍ଧୁଙ୍କ ବାପା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାର ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ଗୁଜରାଟର ଏକ କମ୍ପାନୀ ୟୁନିଟ୍ ଏମ୍ପଲୟମେଂଟ ସର୍ଭିସ ସହ ଯୋଗାଯୋଗରେ ଆସିଥିଲେ । ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଜେଣ୍ଟ ଜରିଆରେ ଦୀନବନ୍ଧୁ ଭିସା ପାସପୋର୍ଟ ପାଇଥିଲେ । ପ୍ରଥମେ ଭିଏତନାମ ଓ ପରେ କାମ୍ବୋଡିଆରେ ପହଞ୍ଚିଥିଲେ ଦୀନବନ୍ଧୁ ।

ଅଭିଯୋଗ ଅନୁସାରେ, କମ୍ପାନୀ ତାଙ୍କୁ ସିମ୍ ଠକେଇ, କଲ୍ କରି ଓଟିପି ଜରିଆରେ ଠକେଇ ଆଦି କାମରେ ଆଦି ନିୟୋଜିତ କରିଥିଲା । ଏଭଳି ବେଆଇନ୍ କାମ କରିବେ ନାହିଁ ବୋଲି ଦୀନବନ୍ଧୁ ମନା କରିଦେବାରୁ କମ୍ପାନୀ କର୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରିଦେଇଥିଲେ । ଜଣେ ଓଡ଼ିଆ ଯୁବକଙ୍କ ଏଭଳି ଦୁର୍ଦ୍ଦିନର ଖବର ପାଇବା ପରେ ସହାୟତା ପାଇଁ ଆଗେଇ ଆସିଥିଲେ ଗ୍ଲୋବାଲ ଓଡ଼ିଆ ଭଲ୍ୟୁଂଟିୟର୍ସ ଆସୋସିଏସନର ସଦସ୍ୟ ସଂଜୟ ଦଳାଇ । ନିଜେ କାନାଡାରେ ରହୁଥିଲେ ମଧ୍ୟ କାମ୍ବୋଡିଆରେ ବନ୍ଦୀ ଓଡ଼ିଆ ଯୁବକଙ୍କ ମୁକ୍ତି ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ତାଙ୍କରି ସହାୟତାରେ ଦୀନବନ୍ଧୁ ଭାରତ ଫେରୁଛନ୍ତି ।