କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ରାମାନଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ଗାଁ କ୍ରୀଡାବିତ ସୁରେଶ ନାଗ । ସେ ଥାଇଲାଣ୍ଡ କ୍ରିକେଟ୍ ପ୍ରିମିୟର ଲିଗ୍ ଖେଳିବା ପାଇଁ ମନୋନୀତ ହେବା ପରେ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ ।
ବିଦେଶରେ ବାସିବ ମାଳଭୂମିର ବଣମଲ୍ଲୀ । ଥାଇଲାଣ୍ଡ ପ୍ରିମିୟମ୍ ଲିଗ୍ ଖେଳିବେ ଓଡ଼ିଶାର ସୁରେଶ ନାଗ୍ । ଭାରତରୁ ମନୋନୀତ ହୋଇଥିବା ୬୦ ଜଣିଆ ଖେଳାଳି ତାଲିକାରେ ଅଛନ୍ତି ଓଡିଶାର ସୁରେଶ । ଫେବ୍ରୁଆରି ୨୫ରୁ ଥାଇଲାଣ୍ଡରେ ଟି-୧୦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ୨୦ ତାରିଖରେ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିବେ ରାମାନାଗୁଡା ବ୍ଲକ ଗୁଲୁମୁଣ୍ଡା ଗାଁର ସୁରେଶ ନାଗ । ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ କ୍ରିକେଟ ଖେଳିଥିବା ସୁରେଶ ଥାଇଲାଣ୍ଡ ପଡିଆରେ ଦେଖାଇବେ ନିଜର ପାରଦର୍ଶିତା ।
ଚଣ୍ଡିଗଡ ଓ ହରିୟାଣା ୟୁନିଭର୍ସାଲ କ୍ରିକେଟ ଅର୍ଗାନାଇଜେସନ ପକ୍ଷରୁ ଥାଇଲାଣ୍ଡ ପ୍ରିମିୟମ୍ ଲିଗ୍ ପାଇଁ ହେଉଥିଲା ଖେଳାଳି ଚୟନ । ଏଥିରେ ସାମିଲ ହୋଇ ଭଲ ପ୍ରଦର୍ଶନ କରି ଚୟନକାରୀଙ୍କ ଦୁଷ୍ଟି ଆକର୍ଷଣ କରିଛନ୍ତି ଆଦିବାସୀ ଯୁବକ । ଯାହା ତାଙ୍କୁ ଥାଇଲାଣ୍ଡରେ ଖେଳିବାର ସୁଯୋଗ ଦେଇଛି । ୧୦ ଓଭର ବିଶିଷ୍ଟ ଥାଇଲାଣ୍ଡ ପ୍ରିମିୟମ ଲିଗରେ ଆକର୍ଷଣୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସୁରେଶ ।
ନିକଟରେ ଓଡିଶା ଗ୍ରାମୀଣ ପ୍ରିମିୟମ୍ ଲିଗ୍ ଖେଳିଛନ୍ତି ସୁରେଶ । ଏହି କ୍ରୀଡା ପ୍ରତିଭାଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦେଲେ ସେ କ୍ରୀଡା କ୍ଷେତ୍ରରେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।