କନକ ବ୍ୟୁରୋ: ସାଉଥ ଫିଲ୍ମ ହେଉ କି ବଲିଉଡ, ହଲିଉଡ ଫିଲ୍ମ ସବୁଥିରେ କିଛି ଅସାଧାରଣ କଥା ରହିଥାଏ । ଯେଉଁଥିପାଇଁ ଫିଲ୍ମଗୁଡିକୁ ଦେଖିବାରେ କିଛି ନିଆରା ଅନୁଭୂତି ରହିଥାଏ । ଯେମିତି କି ବାହୁବଳି ଫିଲ୍ମରେ ଷଣ୍ଡ ସହ ଲଢେଇ ହେଉ ଅବା ଆରଆରଆର ସିନେମାରେ ବାଘ ସହ ମିଶି ଲଢେଇ କରିବା । ଏହା କେବେ ଆମ ସାଧାରଣ ଜୀବନରେ ସମ୍ଭବ ନୁହେଁ । କିନ୍ତୁ ଏହି ସବୁ ସିନେମାରେ କିଛି ନିଆରା ଭିଜୁଆଲ ଇଫେକ୍ଟ ରହିଥିବାରୁ ସିନେମା ଦେଖିବାକୁ ମଜା ଲାଗେ । ଏହାକୁ କୁହନ୍ତି ଭିଏଫଏକ୍ସ । ଅର୍ଥାତ ଭିଜୁଆଲ ଇଫେକ୍ଟ ।

Advertisment

ନିକଟରେ ବଲିଉଡରେ ବ୍ରହ୍ମାସ୍ତ୍ର ଫିଲ୍ମ ରିଲିଜ୍ ହୋଇଛି । ଏହି ଫିଲ୍ମରେ ମଧ୍ୟ ଜବରଦସ୍ତ ଭିଏଫଏକ୍ସ ରହିଛି । ରଣବୀର, ଆଲିଆ ରହିଛନ୍ତି ଏହି ଫିଲ୍ମରେ । ଯେଉଁଥିରେ ଫାଇଟିଂ ସିନଠାରୁ ଆରମ୍ଭ କରି ଅନ୍ୟ ସିନରେ ମଧ୍ୟ ଭିଏଫଏକ୍ସ ବ୍ୟବହାର ହୋଇଛି । ଯେଉଁଥିପାଇଁ ଫିଲ୍ମଟି ଆଦୃତି ଲାଭ କରୁଛି । ଆଉ ଏହି ଭିଏଫଏକ୍ସ ପଛରେ ରହିଥିବା ଟିମରେ ରହିଛନ୍ତି ଯାଜପୁର ବରୀ ବ୍ଲକ ହରିପୁର ଗାଁର ସବ୍ରତ କୁମାର ପାଢୀ । ଭୁବନେଶ୍ୱରର ଏକ ଘରୋଇ ଇନଷ୍ଟିଚ୍ୟୁଟରେ ସେ ଭିଏଫଏକ୍ସ ଶିକ୍ଷା ଲାଭ କରିଥିଲେ । ଏହାପରେ କଣ୍ଟିଲୋ ନାମକ ଫିଲ୍ମରେ କାମ କରିଥିଲେ । ପରେ ବାଇଜୁସ ଭଳି ଏଜୁକେସନ ଆପରେ କାର୍ଟୁନ କମ୍ପୋଜିଟର, ବଲିଉଡ ଏବଂ ହଲିଉଡ ଫିଲ୍ମରେ ଭିଏଫକ୍ସ କାମ କରୁଥିବା ରି-ଡିଫାଇନ ନାମକ ଏକ କମ୍ପାନୀରେ କାମ କରି ନିଜ କ୍ୟାରିଅର ଆଗକୁ ବଢାଇବାରେ ସଫଳ ହୋଇଛନ୍ତି ବରୀ ବ୍ଲକର ସୁବ୍ରତ ।