କନକ ବ୍ୟୁରୋ : କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । ଆଉ ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ାର ଚୁଡି ବିକାଳୀଙ୍କ ପୁଅ ରୋସନ ସାହୁ । ଏକ ରିଆଲିଟି ସୋରେ ହିପହପ୍ ଡ୍ୟାନ୍ସ କରି କମାଲ କରିଛନ୍ତି ରୋସନ ।
ଆଈଲାରେ ଲଡକୀ ମସ୍ତ ମସ୍ତ ତୁ ଆଇଲାରେ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି ଓଡ଼ିଶାର ୧୧ ବର୍ଷିୟ ରୋସନ ସାହୁ । ଜାତୀୟସ୍ତରର ଏକ ଟିଭି ଚ୍ୟାନେଲରେ ପ୍ରସାରିତ ରିଆଲିଟି ଡ୍ୟାନ୍ସ ସୋ’ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ରୋସନ । ରୋସନଙ୍କ ଏହି ସଫଳତା ପଛରେ ରହିଛି ତାଙ୍କ ମାଙ୍କ ହାତ । ଷ୍ଟେସନରେ ବୁଲି ବୁଲି ଚୁଡି ବିକୁଥିଲେ ମଧ୍ୟ ପୁଅକୁ ସବୁ କ୍ଷେତ୍ରରେ ସହଯୋଗ କରିଛନ୍ତି ରୋସନଙ୍କ ମା’ ।
ଝାରସୁଗୁଡ଼ାର ମହିପଡାରେ ଏକ ଭଡ଼ା ଘରେ ଗୋଟିଏ ରୁମରେ ଦୁଇ ବଡ ଭାଇ ଏବଂ ମାଆଙ୍କ ସହ ରୁହନ୍ତି ରୋସନ । ପାରିବାରିକ ବିବାଦରୁ ବିବାହର କିଛି ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ତିନି ପିଲାଙ୍କୁ ନେଇ ରୁହନ୍ତି ସାବିତ୍ରୀ । ପିଲାଙ୍କ ମୁହଁରେ ଦାନା ଦେବା ସହ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସବୁବେଳେ ସହଯୋଗ କରିଥାନ୍ତି । ତେବେ ନିକଟରେ ଜାତୀୟ ସ୍ତରର ଏକ ଟିଭି ଚ୍ୟାନେଲରେ ପ୍ରସାରିତ ଲିଟିଲ ମାଷ୍ଟର ପ୍ରତିଯୋଗିତାରେ ହିପହପ୍ ଡ୍ୟାନ୍ସ କରି ତିନି ଜଣ ଜଜଙ୍କ ମନ ଜିଣିଛନ୍ତି ସାବିତ୍ରୀଙ୍କ ସାନ ପୁଅ ରୋସନ ।
ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସଫଳତା ପାଇଥିବା ରୋସନ ଆଗାମୀ ଦିନରେ ଭଲ କୋରିଓଗ୍ରାଫର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏବଂ ତାଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜଜ୍ ରେମୋ ଡିସୋଜା ।