କନକ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ । ଶୁଭମ କୁମାର ଆଇଏଏସ ଟପ୍ପର ହୋଇଥିବା ବେଳେ ଜାଗୃତି ଅୱସ୍ତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଓଡ଼ିଶାରୁ ଜୁବିନ ମହାପାତ୍ର ୪୬ ର୍ୟାଙ୍କ ସହ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଜୁବିନ କହିଛନ୍ତି, ଏହି ସଫଳତା ପାଇ ମୁଁ ବହୁତ ଖୁସି । ତୃତୀୟ ଥର ପରୀକ୍ଷା ଦେଇ ଏହି ସ୍ଥାନ ହାସଲ କରିଛନ୍ତି ଜୁବିନ । ପ୍ରଥମେ ୨୦୧୮ରେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇପିଏସ ପାଇଁ ଚୟନ ହୋଇଥିଲେ । କିନ୍ତୁ ସେତେବେଳେ ଆଇଏଏସ ହେବାର ସ୍ୱପ୍ନ ତାଙ୍କୁ ପୁଣିଥରେ ପରୀକ୍ଷା ହଲକୁ ଟାଣି ଆଣିଥିଲା । ୨୦୧୯ରେ ୩୭୯ ରାଙ୍କ ପାଇଥିଲେ ଜୁବିନ । ତେବେ ଆଇଏଏସ ହେବାକୁ ଯେଉଁ ଇଚ୍ଛା ଥିଲା ତାହା ଏବେ ପୂରା ହୋଇଛି ବୋଲି କହିଛନ୍ତି ଜୁବିନ୍ ।
କରୋନା କାଳରେ ୟୁପିଏସସି ପାଇଁ କିଭଳି ପ୍ରସ୍ତୁତି ଥିଲା ସେନେଇ ଜୁବିନ କହିଛନ୍ତି, କରୋନା ମୋ ପାଇଁ ବେଶ କଠିନ ସମୟ ଥିଲା । କାରଣ ୨ ମାସ ପୂର୍ବରୁ କରୋନାରେ ମୋ ମା’ ଚାଲି ଯାଇଥିଲେ । ସେ ହିଁ ମୋ ପାଇଁ ସବୁଠୁ ବଡ ପ୍ରେରଣା ଥିଲେ । ତାଙ୍କ ଆର୍ଶୀବାଦ ଯୋଗୁୁଁ ମୁଁ ଏହି ସଫଳତା ପାଇଛି । ଚାକିରି କରିବା ସହ ମୁଁ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ଲୋକଙ୍କ ସେବା କରିବାକୁ ସବୁବେଳେ ଇଚ୍ଛା ରହିଛି । ଦେଶ ପାଇଁ କିଛି କରିବି ସେ ଉଦ୍ଦେଶ୍ୟ ସବୁବେଳେ ରହିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ପ୍ରୟାସ କରିବି । ସବୁପିଲା ପାଠ ପଢନ୍ତୁ ଓ ସମସ୍ତଙ୍କୁ ସୁବିଧାରେ ଚିକିତ୍ସା ମିଳୁ ତାହା ମୋର ପ୍ରଥମ ଲକ୍ଷ୍ୟ ହେବ ।
Follow Us