ଓଡିଶାରେ ପ୍ରଥମ…ମାତ୍ର ଗୋଟିଏ କ୍ଲିକରେ ଘରେ ପହଞ୍ଚିଯିବ ଆମ୍ବୁଲାନ୍ସ। ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ ଏହି ଆପ୍ ।

1,412

କନକ ବ୍ୟୁରୋ: ଘରେ ହଠାତ କୌଣସି ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଗଲେ ବା ପରିବାରର କାହାର ଦୁର୍ଘଟଣା ହୋଇଗଲେ ଆପଣଙ୍କୁ ଆମ୍ବୁଲାନ୍ସଟିଏ ଆବଶ୍ୟକ ପଡିଥାଏ । କିଭଳି ପରିବାର ସଦସ୍ୟ ଶୀଘ୍ର ମେଡିକାଲରେ ପହଁଚିବେ ସେ ନେଇ ଆପଣ ଚିନ୍ତାରେ ପଡିଯାଆନ୍ତି । ଆଉ ଆପଣଙ୍କ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ମୂଲ୍ୟ ମଧ୍ୟ କହିଥାନ୍ତି । ତେବେ ଏସବୁରୁ ନିସ୍ତାର ଦେବା ପାଇଁ ଏବେ ଭୁବନେଶ୍ୱରର ୬ ଜଣ ସାଙ୍ଗ ମିଶି ପ୍ରସ୍ତୁତ କରିଛନ୍ତି ଏକ ଅଭିନବ ଆପ । ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ମାତ୍ର ଗୋଟିଏ କ୍ଳିକରେ ଆମ୍ବୁଲାନ୍ସ ବୁକିଂ କରିବା ସହ ଆମ୍ବୁଲାନ୍ସର ମୂଲ୍ୟ ବାବଦରେ ମଧ୍ୟ ଜାଣିପାରିବେ ।  ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ‘ମୋ ଆମ୍ବୁଲାନ୍ସ’ ବା ‘Mo AMBULANCE ‘ ନାମରେ ଆପ ପ୍ରସ୍ତୁତ କରିଛନ୍ତି ଦୀପ୍ତି ସୁନ୍ଦର ମହାନ୍ତି ଓ ତାଙ୍କ ସହଯୋଗୀ ।

ତେବେ ଦୀପ୍ତିଙ୍କ କହିବା କଥା ଯେ ଗତବର୍ଷ କୋଭିଡ ସମୟରେ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଅଭାବ ସାଙ୍ଗକୁ ଆମ୍ବୁଲାନ୍ସ ମାଲିକଙ୍କ ମନଇଚ୍ଛା ମୂଲ୍ୟକୁ ଦେଖି ସେ ଏଭଳି ଏକ ଆପ ବାବଦରେ ଚିନ୍ତା କରିଥିଲେ । ଉନ୍ନତ ମାନର ଆମ୍ବୁଲାନ୍ସ, ଉଚିତ ମୂଲ୍ୟ ଓ ସଠିକ ସମୟରେ ଆମ୍ବୁଲାନ୍ସ କିଭଳି ପହଞ୍ଚିପାରିବ ତାହାକୁ ଗୁରୁତ୍ୱ ଦିଆଯାଇଛି । ବଡ କଥା ଯେ ଜଣଙ୍କର ଅମୂଲ୍ୟ ଜୀବନ କିଭଳି ବଞ୍ଚିଯାଇପାରିବ ତାହା ହିଁ ମୋ ଆମ୍ବୁଲାନ୍ସ କରିବାର ମୂଳ ଉଦ୍ଦେଶ୍ୟ । କାରଣ ଅନେକ ସମୟରେ ଠିକ ସମୟରେ ମେଡିକାଲରେ ପହଞ୍ଚିନପାରିବାରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥାଏ ।

ଗୁଗୁଲ ପ୍ଲେ ଷ୍ଟୋରରେ ଖୁବ ସହଜରେ ଉପଲବ୍ଧ ଏହି ଆପକୁ ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିବାବେଳେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ଠିକ ସେଥିପାଇଁ ତ ମାତ୍ର ମାସକ ମଧ୍ୟରେ ୧୫୦ରୁ ଅଧିକ ଥର ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରାଯାଇଛି । ସେହିପରି ଯେଉଁମାନେ ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରିପାରୁନାହାନ୍ତି ସେମାନଙ୍କ ପାଇଁ ଟୋଲ ଫ୍ରି ନମ୍ବର(1800-2572-115) ମଧ୍ୟ ରଖାଯାଇଛି । ଜଣେ ପବ୍ଲିକ ହେଲଥ ସ୍ପେସାଲିଷ୍ଟ ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିବା ଦୀପ୍ତି ନିଜର ଆପରେ ଆମ୍ବୁଲାନ୍ସର ଅନଲାଇନ ଟ୍ରାକିଙ୍ଗ ସହ ବୁକିଂ ପୂର୍ବରୁ ମୂଲ୍ୟ ଜାଣିବା ଭଳି ସୁବିଧା ମଧ୍ୟ ରଖିଛନ୍ତି । ସେହିପରି ଆମ୍ବୁଲାନ୍ସ ବୁକିଂ କରିବା ମାତ୍ରେ ଆପଣ ଚାଁହୁଥିବା ମେଡିକାଲ ସହ ମଧ୍ୟ ଆପଣଙ୍କୁ ଯୋଗାଯୋଗ କରାଇଦେବାର ବ୍ୟବସ୍ଥା ଏହି ଆପରେ ରହିଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସାଙ୍ଗକୁ ପ୍ରତି ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ ରହିବା ଭଳି ସୁବିଧା ମୋ ଆମ୍ବୁଲାନ୍ସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଜଣେ ଯେକୌଣସି ମୁହୂର୍ତ୍ତରେ ଆମ୍ବୁଲାନ୍ସଟିଏ ବୁକ କରିପାରିବ ।