ମାଷ୍ଟରସେଫରେ ଓଡିଶାର ‘କ୍ଷୀର ଗଇଁଠା’ । ଜାତୀୟ ସ୍ତରରେ ପୁଣି ଚମକିଲେ ଓଡିଆ

179

କନକ ବ୍ୟୁରୋ: ଓଡିଶାର ଏକ ପାରମ୍ପରିକ ଖାଦ୍ୟ କ୍ଷୀର ଗଇଁଠାକୁ ଜାତୀୟ ସ୍ତରରେ ଉପସ୍ଥାପିତ କରି ନିଜ ପାଇଁ ପରିଚୟ ତିଆରି କରିଛନ୍ତି ଅବିନାଶ ପଟ୍ଟନାୟକ । ଟିଭି ରିଆଲିଟି ସୋ ମାଷ୍ଟରସେଫର ସେ ଏବେ ଜଣାଶୁଣା ଚେହେରା । ଟପ ୧୬ରେ ସ୍ଥାନ ପାଇବା ପରେ ଆଗକୁ ଓଡିଶାର ପାରମ୍ପରିକ ଖାଦ୍ୟ କିଭଳି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ପାଇବ ସେ ନେଇ କାମ କରିବେ ବୋଲି କହିଛନ୍ତି ଅବିନାଶ ।

  • ମାଷ୍ଟରସେଫରେ ଓଡିଶାର ‘କ୍ଷୀର ଗଇଁଠା’
  • ଜାତୀୟ ସ୍ତରରେ ପୁଣି ଚମକିଲେ ଓଡିଆ

ଜାତୀୟ ମଞ୍ଚରେ ବିଚାରକଙ୍କ ମନ ଜିଣିଲା ଓଡିଶାର ପାରମ୍ପରିକ ପିଠା, କ୍ଷୀର ଗଇଁଠା । ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସୋ’ ମାଷ୍ଟରସେଫରେ ଓଡିଶା ଖାଦ୍ୟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଅବିନାଶ ପଟ୍ଟନାୟକ । ଅଡିସନରେ କ୍ଷୀର ଗଇଁଠାକୁ ଏକ ଭିନ୍ନ ରୂପରେ ପ୍ରସ୍ତୁତ କରିଥିଲେ ଅବିନାଶ । ପିଠା ପ୍ରସ୍ତୁତିରେ ଅପରାଜିତା ଫୁଲ ଏବଂ ଗଙ୍ଗଶିଉଳି ଫୁଲର ବ୍ୟବହାର କରିଥିଲେ ସେ । ପାରମ୍ପରିକ ଖାଦ୍ୟକୁ ଭିନ୍ନ ଏକ ସ୍ତରରେ ପହଞ୍ଚାଇବାର ଏହି ପ୍ରୟାସକୁ ଜଜ୍ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ଆଉ ଅବିନାଶ ପହଞ୍ଚି ଯାଇଥିଲେ ମାଷ୍ଟରସେଫ୍ ଗ୍ରାଣ୍ଡ କିଚେନରେ ।

ଅଡିସନରେ ଓଡିଆ ଖାଦ୍ୟକୁ ନେଇ ପ୍ରଂଶସା ସାଉଁଟିଥିବା ଅବିନାଶଙ୍କ ପାଇଁ ବଡ ଚ୍ୟାଲେଞ୍ଜ ନିଜ ନାଁରେ ଥିବା ଏପ୍ରନ ଜିତିବା ଏବଂ ଟପ୍ ୧୬ରେ ନିଜ ସ୍ଥାନ ପକ୍କା କରିବା । ନିଜ ଆଈ ତିଆରି କରୁଥିବା ମାଛ ସହ ଖାଦ୍ୟରେ ମନ୍ଦାର ଫୁଲର ବ୍ୟବହାରକୁ ନେଇ ସେ କରିଥିବା ଏକ୍ସପେରିମେଣ୍ଟ ବିଚାରକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ଖାଦ୍ୟ ପ୍ରତି ଥିବା ନିଜ ନିଶା ପାଇଁ ସରକାରୀ ଚାକିରୀ ଛାଡିଥିଲେ ଅବିନାଶ । ଏବେ ସେ ଉଦ୍ୟାନ ଓ କୃଷି ବିଭାଗରେ ପିଏଚଡି କରୁଛନ୍ତି । ଜାତୀୟ ମଞ୍ଚରେ ପାରମ୍ପରିକ ଓଡିଆ ଖାଦ୍ୟ ପରଷି ବିଚାରକମାନଙ୍କ ମନ ଜିଣିଥିବା ଅବିନାଶ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଖାଦ୍ୟ ପହଞ୍ଚାଇବା ଲକ୍ଷ୍ୟ ରଖିଥିବା କୁହନ୍ତି ।