ସଂଘର୍ଷ ଭିତରେ ସ୍ୱପ୍ନ ଦେଖିବା ଛାଡିନଥିଲେ ଅଜିତେଶ । ଏବେ କର୍କଟ ରୋଗ ଉପରେ ଗବେଷଣା ପାଇଁ ଯିବେ ତାଇୱାନ।

302

କନକ ବ୍ୟୁରୋ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ, ଆଉ ଦୃଢ ଆତ୍ମବଳ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବିଂଝାରପୁର ବ୍ଲକ ତାଉଁତରା ଗାଁର ଅଜିତେଶ ଧଳ । ପିଲାଟି ଦିନରୁ ଅଭାବ ଭିତରେ ଅଜିତେଶଙ୍କ ସମୟ ବିତିଛି ହେଲେ ଏଥିରେ ସେ କେବେ ବି ହାରି ନାହାଁନ୍ତି । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଗୌହାଟିର ଆଇଆଇଟିରେ ପାଠ ପଢ଼ୁଥିବା ଅଜିତେଶ ଏବେ ତାଇୱାନରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି ।

ସବୁ ପ୍ରତିବନ୍ଧକକୁ ହଟାଇ ନିଜ ଲକ୍ଷ୍ୟ ହାସଲ ପାଇଁ ପଣ କରିଛନ୍ତି ଯାଜପୁରର ସୁନା ପୁଅ ଅଜିତେଶ ଧଳ । ସେଥିପାଇଁ ତ ଯାଜପୁରରୁ ତାଇୱାନକୁ ଲମ୍ବିଯାଇଛି ଅଜିତେଶଙ୍କ ଶିକ୍ଷାଗତ ଜୀବନର ଲମ୍ବା ରାସ୍ତା । ତାଇୱାନ ତାଇପେଇର ନ୍ୟାସନାଲ ସିଂହୁଆ ବିଶ୍ୱବିଦ୍ୟାଳୟରେ ଗବେଶଣା କରିବା ପାଇଁ ସେ ମନୋନୀତ ହୋଇଛନ୍ତି ।

ତାଇୱାନରେ କର୍କଟ ରୋଗ ଏବଂ ଏଣ୍ଡୋମେଟ୍ରିଓସିସି୍ ଉପରେ ୩ ବର୍ଷ ଧରି ଗବେଷଣା କରିବେ ଅଜିତେସ । ଏସବୁ ରୋଗର ନିରାକରଣ ପାଇଁ ନୂତନ ଜ୍ଞାନକୌଶଳ ଏବଂ ଔଷଧ ଉଦ୍ଭାବନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଅଜିତେଶ ମ୍ୟାଟେରିଆଲ ସାଇନ୍ସ ବିଭାଗରେ ସାରା ବିଶ୍ୱରେ ଦ୍ୱିତୀୟ  ରାଙ୍କ୍ ରଖିବା ପରେ ତାଙ୍କୁ ଏହି ସୁଯୋଗ ମିଳିଛି । ଗବେଷଣା ସମୟରେ ଅଜିତେଶଙ୍କ ସମସ୍ତ ଖର୍ଚ୍ଚ ତାଇୱାନ ସରକାର ବହନ କରିବେ । ଏଥିପାଇଁ ତାଇୱାନ ସରକାରଙ୍କ ପକ୍ଷରୁ ୩୨ ଲକ୍ଷ ଟଙ୍କା ଆଗୁଆ ଜମା କରାଯାଇଛି । ଅଜିତେଶ ଆଗାମୀ ୧୭ ତାରିଖ ଦିନ ତାଇୱାନ ଅଭିମୁଖେ ବାହାରିବେ ।

ଅଜିତେସଙ୍କ ଶିକ୍ଷା କ୍ୟାରିୟର ବେଶ ସଂଘର୍ଷମୟ । ବାପା ଏକ ଘରୋଇ କଂପାନିରେ କାର୍ଯ୍ୟ କରୁଥିବା ବେଳେ ହଠାତ୍ ରୋଗାକ୍ରାନ୍ତ ହୋଇ ଆଖି ବୁଝିଦେଇଥିଲେ । ମୁଣ୍ଡ ଉପରୁ ବାପାଙ୍କ ହାତ ହଟିଯିବା ପରେ ସଂପର୍କୀୟଙ୍କ ସହଯୋଗରେ ଗୌହାଟି ଆଇଆଇଟିରେ ପାଠ ପଢିଥିଲେ ଅଜିତେସ ।