କନକ ବ୍ୟୁରୋ : ମନୋରଞ୍ଜନ ଚାନେଲ୍ ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍ ସେଫ୍’ର ସିଜିନ୍-୬ର ଫାଇନାଲ୍ ଟିକେଟ ହାତେଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ତାଙ୍କ ସହ କୋଲକାତାର ଝିଅ ଓଣ୍ଡ୍ରିଲା ମଧ୍ୟ ଫାଇନାଲ୍ ରାଉଣ୍ଡକୁ ଯାଇଛନ୍ତି। ପ୍ରଥମେ ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଆ ପୁଅ ଅବିନାଶ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଶୀର୍ଷତମ ପାହାଚରେ ପହଞ୍ଚିଛନ୍ତି। ଫାଇନାଲ୍ ରାଉଣ୍ଡରେ ଅବିନାଶ ପହଞ୍ଚିବା ପରେ ସେଠାରେ ସେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ବିଚାରକଙ୍କର ମନ ଜିଣିଛନ୍ତି।
ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍ ପ୍ଲସ୍’ରେ ଦେଉଥିବା ‘ମାଷ୍ଟର୍ ସେଫ୍’ କାର୍ଯ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ। ଇନଫୋସିସରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ତାଙ୍କ ସ୍ୱାଦଚଖାଇ ଚକିତ କରାଇବା ସହ ମାଷ୍ଟର୍ ସେଫ୍-୬ର ଅଡିସନ୍ ରାଉଣ୍ଡରେ ମନୋନୀତ ହୋଇଥିଲେ। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ୱାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।
ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ‘ଡିସ୍’ ଖାଇବା ପରେ ସେଫ୍ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଏହି ଲୋକପ୍ରିୟ ରୋଷେଇ ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ତାଙ୍କ ଘର ଗଞ୍ଜାମର ଆସ୍କାଠାରେ। ପୂର୍ବରୁ ସେ ଲୋକିକୁକସ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତବର୍ଷ ହଲଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ। ଅବିନାଶ ସେବେଠାରୁ ଅନେକ ସୋପାନ ଅତିକ୍ରମ କରି ଶେଷରେ ଆସି ଫାଇନଲ୍ ରାଉଣ୍ଡରେ ପହଞ୍ଚିଛନ୍ତି।