୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ

154

କନକ ବ୍ୟୁରୋ : ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ । ଏଭଳି କିଛି ଆହ୍ୱାନ ଦେଇ ଫେବୃଆରି ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶାଳ ଆୟୋଜନ । ଓଡିଆ ଭାଷା, ସଂସ୍କୃତିର ଗୌରବମୟ ଇତିହାସକୁ ମନ୍ଥନ କରାଯିବ । ମୟୁରଭଂଜରୁ ମାଲକାନଗିରି, କଟକରୁ କଳାହାଣ୍ଡି ଚାରିଆଡ଼େ ଶୁଭିବ ଭାଷା ସାହିତ୍ୟର ଗାଥା । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ଫେବୃଆରି ୫ ତାରିଖ ଯାଏଁ ଚାଲିବ । ବନ୍ଦେ ଉତ୍କଳ ଜନୀନ ଗୀତ ସମସ୍ତେ ବୋଲିବାକୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଅପିଲ ମଧ୍ୟ କରାଯାଇଛି ।

ଓଡ଼ିଆ ଅସ୍ମିତାର ମହାପର୍ବ
ଓଡ଼ିଆ ଅସ୍ମିତାର ମହାପର୍ବକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି
-ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ଅବସରରେ ରାଜ୍ୟର ସବୁ ପଂଚାୟତରେ ଗ୍ରାମସଭା ଆୟୋଜନ ହେବ – ପ୍ରତ୍ୟେକ ପଂଚାୟତ ଓ ବ୍ଲକରେ ଏଲଇଡି ମାଧ୍ୟମରେ ପ୍ରଚାର ପ୍ରସାର ସହିତ ସିଧାପ୍ରସାରଣ କରାଯିବ
– ପ୍ରତି ବ୍ଲକକୁ ୫୦ ହଜାର ଓ ପ୍ରତି ପଂଚାୟତକୁ ୨୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି
– ମିଶନ ଶକ୍ତି ମହିଳା ଫେଡରେସନକୁ ଦିଆଯାଇଛି ୨୦ ହଜାର
– ପଂଚାୟତ ବ୍ଲକ ଓ ଜିଲ୍ଲାରେ କବି, ଲେଖକ ଓ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ
– ସମ୍ମିଳନୀର ଗୌରବ ବଖାଣିବ “ଅକ୍ଷର ଭୂମୀ’
– ଭାଷାର ଭବିଷ୍ୟତକୁ ନେଇ ହେବ ବଡ଼ ନିଷ୍ପତି

ଏପଟେ ଭାଷା ସମ୍ମିଳନୀ ଆୟୋଜନକୁ ନେଇ ତେଜିଛି ରାଜନୀତି । ୨୩ ବର୍ଷ ପରେ ଭାଷା କଥା ମନେ ପଡିଲା କି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସରକାର ସବୁବେଳେ ତତ୍ପର ।

ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଓଡ଼ିଶାର ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଆୟୋଜନ କରିଛନ୍ତି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ବର୍ତମାନର ଯୁବପୀଢି ସର୍ବଦା ନୁତନତ୍ୱକୁ ପ୍ରାଧାନ୍ୟ ଦେଉଥିବାରୁ, ଓଡିଆ ଭାଷାକୁ କିପରି ପ୍ରୟୋଗାତ୍ମକ ଭାବେ ଅଧିକରୁ ଅଧିକ ଉପଯୋଗ କରାଯାଇ ପାରିବ ସେ ନେଇ ସମ୍ମିଳନୀରେ ମାନସମନ୍ଥନ କରାଯିବ ।