ଓଡିଶା ଶୁଣୁଛି ଶ୍ରୀଚରଣଙ୍କ ସ୍ୱର । ଲକଡାଉନରେ ବି କମିନି କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଲୋକପ୍ରିୟତା ।

689

କନକ ବ୍ୟୁରୋ: ୧୯୯୯ ମସିହାରୁ ୨୦୨୦ ଦୀର୍ଘ ୨୧ବର୍ଷ ଓଡ଼ିଆ ସଙ୍ଗୀତ ଶିଳ୍ପକୁ ଶ୍ରୀଚରଣ ମହାନ୍ତି ଦେଇଛନ୍ତି ଏକାଧିକ ସୁମଧୁର ଗୀତ । ତାହା ଭଜନ ହେଉ ଅବା ଆଧୁନିକ । ଏତିକିରେ ସୀମିତ ନାହାଁନ୍ତି ଶ୍ରୀଚରଣ ମହାନ୍ତି , ଓଡ଼ିଆ ଚଳଚିତ୍ରରେ ମଧ୍ୟ ତାଙ୍କର ନିଆରା ଗାୟନ ଶୈଳୀ ସ୍ରୋତାଙ୍କୁ ମୁଗ୍ଧ କରିଛି । ଜଣେ ଓଡ଼ିଆ ଭାବରେ ଓଡ଼ିଆ ଗୀତ ପ୍ରତି ତାଙ୍କର ଅନୁରାଗ ଏବଂ ଓଡ଼ିଆ ଭାଷା ପ୍ରତି ଅହେତୁକ ଦୁର୍ବଳତାକୁ ସହଜରେ ବୁଝିଯାଇହୁଏ ତାଙ୍କ ସଂସ୍ପର୍ଶରେ ଆସିଲେ । ଏ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଜନ୍ମ ମାଟିର ଠାକୁରାଣୀ ମାଆ ସାରଳା ହିଁ ଶ୍ରୀଚରଣ ଙ୍କ ପାଇଁ ସବୁକିଛି । ସେଇଥିପାଇଁ ତ ସକଳ ଶ୍ରେୟ ମାଆ ସାରଳା ଓ ଶ୍ରୀଜଗନ୍ନାଥଙ୍କୁ ସେ ଅର୍ପଣ କରନ୍ତି ।

୨୦୨୦ ମାର୍ଚ୍ଚ ମାସର ଶେଷାର୍ଦ୍ଧ ଯେତେବେଳେ କରୋନା ମହାମାରୀ ରେ ସମଗ୍ର ବିଶ୍ୱ କବଳିତ ହେଲା, ଓଡ଼ିଆ ସଙ୍ଗୀତ ଶିଳ୍ପ ବାଦ ପଡ଼ନ୍ତା ବା କେମିତି ! ଗୀତକୁ ଜୀବନ ଆଉ ଜୀବିକା ଭାବିଥିବା ଶ୍ରୀଚରଣ ମଧ୍ୟ ଉପାୟ ଶୁନ୍ୟ ହୋଇଯାଇଥିଲେ । ସୌଭାଗ୍ୟର ବିଷୟ କେଇଟା ଦିନପରେ ଯେତେବେଳେ ଶ୍ରୋତା ଘରେ ବନ୍ଦୀ ହୋଇ ବସିବାକୁ ବାଧ୍ୟ ହେଲେ, ୟୁଟୁବ ରେ ଖୋଜିଥିଲେ ତାଙ୍କର ପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କୁ । ଶ୍ରୀଚରଣ ବି ନିରାଶ କରି ନ ଥିଲେ । ନିଜର ଫେସବୁକ ଆଉ ବିଭିନ୍ନ ୟୁଟୁଵ ଚାନେଲ ମାଧ୍ୟମରେ ଗାଇଥିଲେ ଅନେକ ନୂଆ ଗୀତ । ରେକର୍ଡ଼ କରିଚାଲିଥିଲେ ଗୋଟେ ପରେ ଗୋଟେ ଭାବପୁର୍ଣ ଭଜନ । କେବଳ ଓଡ଼ିଶା ନୁହଁ ବରଂ ସୁଦୂର ଆମେରିକା, କାନାଡ଼ା, ଦୁବାଇ, ମୁମ୍ବାଇ, ଦିଲ୍ଲୀରୁ ଛୁଟିଥିଲା ପ୍ରଶଂସାର ସୁଅ । ଅନେକ ଶ୍ରୋତା ନିଜ ନିଜର ମତାମତ ରଖିଥିଲେ, ବାଧି ନ ଥିଲା ଲକ ଡାଉନ ।

ନିକଟରେ ଆମେ ସବୁ କଟକଣା ଭିତରେ ଥାଇ ମଧ୍ୟ ଦୁର୍ଗା ପୂଜା, ଗଣେଶ ପୂଜା, କାର୍ତ୍ତିକ ପୂର୍ଣ୍ଣିମାରେ ଶୁଣିବାକୁ ପାଉଛୁ ଶ୍ରୀଚରଣଙ୍କ ସୁମଧୁର କଣ୍ଠ ସ୍ୱର ପୁଣି ଅରଖ ନୂଆ ଗୀତ । ସ୍ରୋତାଙ୍କ ଅନୁରୋଧ ରକ୍ଷା କରି, ଶ୍ରୀଚରଣ ଆୟୋଜନ କରିଥିଲେ ପ୍ରବାସୀ ଭାଇ ଭଉଣୀଙ୍କ ପାଇଁ ଏକ ବିମଳ ଭଜନ ଆସର(ଫେସବୁକ ଆଇ ଡି ରେ) । କଟକଣା କୁ ମାନି ସ୍ରୋତାଙ୍କୁ ନିରାଶ କରି ନ ଥିବା ଶ୍ରୀଚରଣ ଙ୍କ ଡିମାଣ୍ଡ ଆଜିବି ସ୍ୱୀକାର କରିବାକୁ ହେବ । ମହାପ୍ରଭୁଙ୍କ ପାଖରେ ଆମର ପ୍ରାର୍ଥନା, ଆଗକୁ ଏମିତି ନୂଆ ନୂଆ ଗୀତ ଶ୍ରୀଚରଣ ମହାନ୍ତି ଭେଟି ଦଉଥାନ୍ତୁ । ସମସ୍ତଙ୍କ ଛାତି ତଳେ ତାଙ୍କ ପାଇଁ ଜାଗା ଟେ ଥାଉ । ଅଶେଷ ଧନ୍ୟବାଦ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କୁ ।