କନକ ବ୍ୟୁରୋ : କମିଟି ବସିଲା। ସଂଶୋଧନ ହେଲା। ହେଲେ ତ୍ରୁଟିମୁକ୍ତ ଭାଗବତଟିଏ ଏଯାଏଁ ମିଳିଲା ନାହିଁ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ ଭାଗବତର ମୁଦ୍ରଣଗତ ତ୍ରୁଟି ନେଇ ଗତବର୍ଷ ଯେଉଁ ଝଡ଼ ଉଠିଥିଲା ସେନେଇ ସାହିତ୍ୟ ଏକାଡେମି ତତ୍ପରତା ପ୍ରକାଶ କରିଥିଲା। ଏକ କମିଟି ମାଧ୍ୟମରେ ତ୍ରୁଟି ବି ସଂଶୋଧନ ହୋଇଥିଲା। ଅନ୍ୟୂନ ୧୦ ମାସ ତଳୁ ତ୍ରୁଟି ସଂଶୋଧନ ସରିଲାଣି। ପୁନଃ ଅନୁଧ୍ୟାନ କାର୍ଯ୍ୟ ବି ଶେଷ ହୋଇଛି। ବହି ଛାପିବା ପାଇଁ ଜୁନ୍/ଜୁଲାଇରେ ସରକାରୀ ଛାପାଖାନାକୁ ବି ପଠାସରିଛି। ହେଲେ ଏଯାଏଁ ଭାଗବତର ଭାଗ୍ୟ ସେଇ ଛାପାଖାନାରେ ବନ୍ଧା ପଡ଼ିଛି।
ଏଣେ ଭାଗବତ କିଣିବା ପାଇଁ ସାହିତ୍ୟ ଏକାଡେମିରେ ପହଁଞ୍ଚୁଥିବା ପାଠକଙ୍କୁ ବାରମ୍ବାର ସେଇ ଏକା ଉତ୍ତର ଶୁଣି ଫେରି ଯାଉଛନ୍ତି। ସେତେବେଳେ ସଂଶୋଧନ ଚାଲିଥିବା କଥା କହୁଥିଲେ ଏବେ ଛାପାଖାନାକୁ ଯାଇଛି ବୋଲି କହୁଛନ୍ତି। ଏକାଡେମିର କର୍ମଚାରୀ ବି ନାଚାର। ଏଣେ ବିଚାରା ପାଠକ ବି ବାରମ୍ବାର ନିରାଶ ହେଉଛି। ସରକାରଙ୍କ ସଂସ୍କୃତି ବିଭାଗ ନିକଟ ଅତୀତରେ ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ଗଠନ କରିଥିବାରୁ ଏନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ବୋଲି ଲାଗୁଥିଲା। ହେଲେ ସେନେଇ କେହି ସ୍ୱରଶବ୍ଦ ଉଠାଉନାହାନ୍ତି।
ପାଠକଙ୍କ ଗୋଚରାର୍ଥେ ଜଣାଇବା ଉଚିତ୍ ଯେ, ଗତବର୍ଷ ଶ୍ରୀମଦ ଭାଗବତର ତୃତୀୟ ସଂସ୍କରଣରେ ମୁଦ୍ରଣଗତ ତ୍ରୁଟି ସମ୍ପର୍କରେ ଗଣମାଧ୍ୟମରେ ଚର୍ଚା ହୋଇଥିଲା। ତେଣୁ ଏକାଡେମିର କର୍ତୃପକ୍ଷ ତ୍ରୁଟି ସମ୍ପର୍କରେ ନିଶ୍ଚିତ ହେବା ପରେ ଭାଗବତର ମୁଦ୍ରଣ ଓ ବିକ୍ରିବଟା ତତ୍କ୍ଷଣାତ ବନ୍ଦ କରିଥିଲେ।
ଏଥିସହିତ ଗତବର୍ଷ ମାର୍ଚ ୧୫ରେ ଏକାଡେମିର ସଭାପତିଙ୍କ ଅଧ୍ୟକ୍ଷତାରେ ଡ.ଗୌରାଙ୍ଗ ଚରଣ ଦାଶ, ଦେବେନ୍ଦ୍ର କୁମାର ଦାଶ, ଡ.ଶରତଚନ୍ଦ୍ର ରଥ, ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ସଦସ୍ୟ ଭାବେ ନେଇ ଏକ କମିଟି ଗଠନ କରାଯାଇଥିଲା। ଏକାଡେମିର ସଚିବ ଏହି କମିଟିର ଆବାହକ ଥିଲେ। ଏହି କମିଟି ଶ୍ରୀମଦ ଭାଗବତର ତୃତୀୟ ସଂସ୍କରଣର ପ୍ରତିଟି ସ୍କନ୍ଧକୁ ପଣ୍ଡିତ ନୀଳମଣି ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ମୂଳ ପ୍ରକାଶିତ ଭାଗବତ ଏବଂ ୧୯୯୪ ମସିହାରେ ଏକାଡେମି ଦ୍ୱାରା ପ୍ରକାଶିତ ଭାଗବତକୁ ଭିତ୍ତିକରି ତ୍ରୁଟି ସଂଶୋଧନ କାର୍ୟ୍ୟ ହାତକୁ ନେଇଥିଲା। ଏ ଦିଗରେ ସକ୍ରିୟ ପଦକ୍ଷେପ ନିଆଯିବା ସହିତ କମିଟି ଇତିମଧ୍ୟରେ ଭାଗବତରେ ଥିବା ତ୍ରୁଟି ସଂଶୋଧନ କାର୍ୟ୍ୟ ଶେଷ କରିଛି। ପୁନଃ ଅନୁଧ୍ୟାନ ପରେ ଏହାର ମୁଦ୍ରଣ ଓ ସଂପ୍ରସାରଣ ଉପରେ ପଦକ୍ଷେପ ନିଆଯିବ ବୋଲି ଏକାଡେମି ପକ୍ଷରୁ ଗତ ମାର୍ଚ ମାସରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଅଶ୍ୱିନୀ ମିଶ୍ର ସ୍ପଷ୍ଟ କରିଥିଲେ।
ଭୁବନେଶ୍ୱର ନିବାସୀ ଚକ୍ରଧର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ମାର୍ଚ ମାସ ୨ ତାରିଖରେ ଶ୍ରୀମଦ୍ ଭାଗବତର ମୁଦ୍ରଣଗତ ତ୍ରୁଟି ଜନିତ ପତ୍ର ପଠାଇବା ପରେ ଏକାଡେମି ମୁଦ୍ରଣ ସମ୍ପର୍କରେ ନିଜର ଏପରି ଜବାବ ରଖିଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶା ସରକାରୀ ମୁଦ୍ରଣାଳୟକୁ ଲିଖନ ସାମଗ୍ରୀର ସଂଶୋଧିତ କପି ମୁଦ୍ରଣ ପାଇଁ ପଠାସରିଛି। କିନ୍ତୁ ତାହା ଏଯାଏଁ ଛପାଇବା ପାଇଁ ସେଭଳି ଆନ୍ତରିକତା ପ୍ରକାଶ ପାଇନାହିଁ। ଫଳରେ ଶ୍ରୀମଦ ଭାଗବତ ପ୍ରକାଶିତ ହୋଇ ଖୁବ୍ଶୀଘ୍ର ଜନସାଧାରଣଙ୍କ ନିକଟରେ ଉପଲବ୍ଧ ହେବା ନେଇ ଯେଉଁ ଆଶା ଜାଗିଥିଲା ସେଥିରେ ଏବେ ପ୍ରଶ୍ନବାଚୀ ଲାଗିଛି। ଏଣେ ସଂସ୍କୃତି ବିଭାଗର ଅଧିକାରୀଙ୍କୁ ପଚାରିଲେ ତାହା ଖୁବ୍ଶୀଘ୍ର ଛପା ହେବ ବୋଲି କେବଳ ଉତ୍ତର ମିଳୁଛି ସିନା ନିର୍ଧାରିତ ଜବାବ ମିଳୁନାହିଁ।