କନକ ବ୍ୟୁରୋ: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୪ର ଶେଷ ଦିନରେ ଓଡିଆ ଖେଳାଳିଙ୍କ କମାଲ । ଶେଷଦିନରେ ୪ ସ୍ୱର୍ଣ୍ଣ ପଦକ ହିତ ଗୋଟିଏ କାଂସ୍ୟ ପଦକ ଜିଣିଲେ ଓଡିଆ ଖେଳାଳି । ଜାଭେଲିନ ଥ୍ରୋ ଓ ଦୌଡ ପ୍ରତିଯୋଗିତାର ୩ଟି ବର୍ଗରେ ଓଡିଆ ଖେଳାଲି ପଦକ ହାସଲ କରିଛନ୍ତି ।
ଗୋଆର ପଣଜୀ ସହରର ଜିଏମସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ ତମ ନେସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ଜୟନ୍ତୀ ବେହେରା ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଜୟନ୍ତୀ ବେହେରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।
ସେହିପରି ଆଉ ଓଡିଆ ଝିଅ ସୁଚିତ୍ରା ପରିଡା ଜାଭେଲିନ ଏଫ-୫୫ ବର୍ଗରେ ୧୬ ଦଶମିକ ୯୯ ମିଟର ଫେପାଡି ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସୁଚିତ୍ରା ସମସ୍ତଙ୍କୁ ଚମକାଇ ପୂର୍ବରୁ ସାକ୍ଷୀ କସନାଙ୍କ ନାଁରେ ଥିବା ଜାଭେଲିନ ଥ୍ରୋ ରେକର୍ଡ ୧୪ ଦଶମିକ ୭୩ ମିଟର ରେକର୍ଡକୁ ଭାଙ୍ଗିଛନ୍ତି । ସେହିଭଳି ଗୁମଡା ବରାଳ ଟି-୫୪ ହୁଇଲଚେୟାର ୫ଶହ ମିଟର ରନିଙ୍ଗରେ ୧୯ମିନିଟ ୫୦ ସେକେଣ୍ଡ ସମୟରେ ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି ।
ଏହାକୁ ମିଶାଇ ଓଡିଶା ମୋଟ ୯ଟି ପଦକ ହାସଲ କରିଛି । ସେଥି ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ରହିଛି । ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୪ରେ ଓଡିଶା ପକ୍ଷରୁ ୨୯ ଜଣ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରୁଥିଲେ ।