ସଞ୍ଜ ହେଉ କି ସକାଳ, କି ବୈଶାଖର ଉଦୁଉଦିଆ ଖରାବେଳ…ଓଡିଆଙ୍କ ଭାରି ପ୍ରିୟ ପଖାଳ । ପଖାଳ ଖାଲି ଖାଦ୍ୟ ନୁହେଁ- ପଖାଳ ଆମ ପରିଚୟ, ପଖାଳ ଆମ ସଂସ୍କୃତି । ବିଶ୍ୱ ପଖାଳ ଦିବସରେ ଖାଆନ୍ତୁ ଆଉ ଖୁଆନ୍ତୁ ପଖାଳ ।

731

କନକ ବ୍ୟୁରୋ: ପଖାଳ କଂସା ପାଖରେ ବଡିଚୁରା ଥିବ । ଟମାଟ ବାଇଗଣ ଚକଟା ହେଇଥିବ । ଦି ପିସ୍ ଲଙ୍କା ସହ..ଗୋଟା ପିଆଜ ୪ ପିସ୍ କଟା ହେଇଥିବ । ବାସ୍….ଆଉ କଣ ଦରକାର ଯେ? ବୋଉ ବଢେଇଥିବା କଂସେ ପଖାଳ ସାଙ୍ଗେ ସାଙ୍ଗେ ପେଟରେ ପଷିଯିବ । ଆମ ଓଡିଆଙ୍କ ସବୁଠୁ ବେଶି ପ୍ରିୟ ଖାଦ୍ୟ, ଯଦି କିଛି ଥାଏ । ତେବେ ସେ ନିଶ୍ଚୟ ପଖାଳ ହେଇଥିବ । ପଖାଳ ଖାଲି ଗୋଟେ ଖାଦ୍ୟ ନୁହେଁ, ପ୍ରତିଟି ଓଡିଆଙ୍କ ପରିଚୟ ଆଉ ଗର୍ବ ହେଉଛି ଏ ତୋରାଣୀ କଂସା ଆଉ ପଖାଳ ବେଲା ।

ସଞ୍ଜ ହେଉ କି ସକାଳ, କି ବୈଶାଖର ଉଦୁଉଦିଆ ଖରାବେଳ । ଭୋକିଲା ପେଟ ଯେତେବେଳେ ଦାନା ଖୋଜେ, ତଣ୍ଟି ଯେତେବେଳେ ତୋରାଣୀ ପାଇଁ ବୋଉକୁ ଡାକ ଛାଡେ । ସେତେବେଳେ ବେଲାରେ ଲହଡି ଭାଙ୍ଗି, ତୋରାଣୀରେ ଉବୁଟୁବୁ ହେଇ ସାମ୍ନାକୁ ଚାଲିଆସେ ପଖାଳ ।

ପଖାଳକୁ ଖାଲି ଖାଦ୍ୟ କହିଦେଲେ ବୋଧହୁଏ ଭୁଲ ହେଇଯିବ । ପଖାଳ ହେଉଛି ଓଡିଆଙ୍କ ନିତି ଦିନର ବନ୍ଧୁ ଆଉ ଗରିବର ଚିର ସାଥୀ । ପଖାଳ ପ୍ରତିଟି ଓଡିଆଙ୍କ ପାଇଁ ଗୋଟେ ବିଚାରଧାରା ହେଇପାରେ, ଆଉ ସେଇ ପଖାଳ ହେଉଛି ଆମ ସଂସ୍କୃତି । ଜାଣିଛନ୍ତି, କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ବି ପଖାଳ ଖାଇଆନ୍ତି । ସେଇଥିପାଇଁ ତ ସେ ବଡ ଖିଆ ଠାକୁର, ସେ ଖାଦ୍ୟ ରସିକ ନଟନାଗର । ନୀଳକନ୍ଦରରେ ବିଜେ ମହାପ୍ରଭୁ ପାଖରେ ରାତିରେ ବଡସିଂହାର ବେଶ ସମୟରେ ପଖାଳ ଲାଗି କରାଯାଏ । ଆଉ ଏଇ ପଖାଳ ଖାଇ ଗଜଦନ୍ତ ପଲଙ୍କରେ ସୁନିଦ୍ରାରେ ଯାଆନ୍ତି କୋଟି ଓଡିଆଙ୍କ ମଉଡମଣୀ, କାଳିଆ ଠାକୁର ।

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ ହୁଏ ବିଶ୍ୱ ପଖାଳ ଦିବସ । ପଖାଳର ପ୍ରଚାର ପ୍ରସାର କରିବା ପାଇଁ ଓଡିଆମାନେ ପ୍ରତିବର୍ଷ ଏ ଦିନକୁ ବେଶ ଜାକଜମକରେ ପାଳନ କରିଥାନ୍ତି । କିଏ ଘରେ ପଖାଳ ପ୍ରସ୍ତୁତ କରି ଖାଏ, ତ ଆଉ କିଏ ରେଷ୍ଟୁରାଂଟରେ ବସି ଦହି ପଖାଳର ମଜାନିଏ । ତେବେ ଏ ସବୁ ଭିତରେ ପଖାଳ ଦିବସକୁ କଦାପି ବି ଭୁଲନ୍ତିନି କୌଣସି ଓଡିଆ ।

ବିଶ୍ୱ ପଖାଳ ଦିବସ ଆରମ୍ଭ ହେବାର ଏକ ରୋଚକ କାହାଣୀ ବି ରହିଛି । ୨୦୧୫ରେ ହଠାତ୍ ଟୁଇଟରରେ ଟ୍ରେଣ୍ଡ କରିବାକୁ ଲାଗିଲା ହାସଟ୍ୟାଗ୍ ପଖାଳ ଦିବସ । ବାସ୍,ଏହାପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡିଆ, ଏହି ଦିବସକୁ ପାଳନ କରିବାକୁ ଆଗେଇ ଆସିଥିଲେ । ଖାଲି ସେତିକି ନୁହେଁ, ରାଜ୍ୟର ଷ୍ଟାର ହୋଟେଲ ଆଉ ରେଷ୍ଟୁରାଂଟରେ ବି ପଖାଳ ଭାତ, ମେନ୍ୟୁରେ ସାମିଲ ହେଇଥିଲା । ଆଉ ସେବେଠୁ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଆସୁଛନ୍ତି ପ୍ରତିଟି ଓଡିଆ । ତେବେ ଆଜି ପଖାଳ ଦିବସରେ ଆପଣ ମଧ୍ୟ ଘରେ ପଖାଳ ଖାଆନ୍ତୁ । ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ସାଙ୍ଗରେ ବସି ପଖାଳ ଦିବସ ମନାନ୍ତୁ ।