ଓଲିଉଡ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ ଅସଦାଚରଣ । ଯାତ୍ରା ପାଇଁ ଯାଇଥିବାବେଳେ ଗାଡି ଭଙ୍ଗାରୁଜା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ । କଣିହାଁ ଥାନାରେ ଅଭିଯୋଗ

29

କନକ ବ୍ୟୁରୋ: ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ । ଉଷସୀଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭାଂଗିଦେଇଛନ୍ତି କିଛି ଦୁର୍ବୃତ । ଗତକାଲି ରାତିରେ ଅନୁଗୁଳ କଣିହାଁର ଡେରେଙ୍ଗରେ ଯାତ୍ରାରେ ଅଭିନୟ ପାଇଁ ଉଷସୀ ଯାଇଥିଲେ । ଉଷସୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିବା ବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ପ୍ରଥମେ କଥା କଟିକଟି ହୋଇଥିଲା । ଏହାପରେ ଠେଲାପେଲା ସହ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରକୃତ ଘଟଣାଟି ଥିଲା କିଛି ଏପରି. . .

ରବିବାର ରାତି ପ୍ରାୟ ୧୨ ଟା । ଅନୁଗୁଳ କଣିହାଁର ଡେରେଙ୍ଗ । ରାତି ଅଧରେ ରାସ୍ତା ଉପରେ ଚାଲିଥାଏ ପ୍ରବଳ ମାରପିଟ୍ । ଏହେଉଛି ସେହି ସମୟର ଚିତ୍ର । ଗୋଟିଏ ପଟେ ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର ଆଉ ଗୋଟିଏ ପଟେ କିଛି ସ୍ଥାନୀୟ ଯୁବକ । ଉଷସୀଙ୍କ ଚୁଟିକୁ ଟାଣି ଆକ୍ରମଣ କରିବାକୁ ପଛାଉନାହାଁନ୍ତି ଏହି ଯୁବକ । ପ୍ରଥମେ ଯୁକ୍ତିତର୍କ ଆଉ ତାପରେ ହାତାହାତି ହୋଇଯାଇଥିଲେ ଉଭୟ ପକ୍ଷ ।

ଯାତ୍ରାରେ ଅଭିନୟ ପାଇଁ ରାତିରେ ଡେରେଙ୍ଗ ଯାଇଥିଲେ ଉଷସୀ । ଯାତ୍ରା ଜଗତର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଚିତ୍ର ରାସ୍ତାରେ ପ୍ରବଳ ଭିଡ ଜମିଥିଲା । ଆଉ ଭିଡ ହଟାଇବା ପାଇଁ ଯୁକ୍ତିତର୍କ ବି ଆରମ୍ଭ ହୋଇଯାଇଥିଲା । ଆଉ ଗାଡିରେ ବସିଥିବା ଉଷସୀ ଓହ୍ଲାଇ ଆସିଥିଲେ । ଏହାପରେ ଯୁକ୍ତିତର୍କ ଭିତରେ କଥା ଆଗକୁ ବଢିଯାଇଥିଲା ଓ ଆଉ ଉଷସୀଙ୍କୁ ଠେଲାପେଲା କରିବା ସହ ଅସଦାଚରଣ କରିବାକୁ ବି ପଛାଇଲେ ନଥିଲେ ଆକ୍ରମଣକାରୀ ଯୁବକ ।

ତେବେ ଘଟଣା ଘଟିବା ପରେ ନିଜ ଫେସବୁକ୍ ପୋଷ୍ଟରେ ଏନେଇ ସୂଚନା ଦେଇଥିଲେ ଉଷସୀ । ଲେଖିଥିଲେ ସେ ତାଙ୍କ ଯନ୍ତ୍ରଣା ବ୍ୟକ୍ତ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି । ଯାତ୍ରା ମ୍ୟାନେଜମେଂଟ୍ ଓ ସ୍ଥାନୀୟ ପୋଲିସକୁ ଦୋଷ ଦେଇ ଉଷସୀ ତାଙ୍କ ପୋଷ୍ଟରେ ତାଙ୍କୁ ମାଡ ମାରିଥିବା ବ୍ୟକ୍ତିର ବି ଫୋଟ ଓ ନିଜ ଫଟୋ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ , ସେ ମଧ୍ୟ ଲଢେଇ କରି ନିଜକୁ ବଂଚାଇଦେଇଛନ୍ତି । ଓଲିଉଡରେ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ପରବର୍ତୀ ସମୟରେ ଯାତ୍ରା ଜଗତରେ ପାଦ ଦେଇଥିଲେ । ଅଧରାତିରେ ଏହି ଅଭିନେତ୍ରୀଙ୍କୁ ଆକ୍ରମଣ କରିବା ପରେ ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଛନ୍ତି ।