ପରଲୋକରେ ଓଡିଆ ଅଭିନେତ୍ରୀ ଅନିତା ଦାସ । କଟକ ସେଲଟର ଛକ ବାସଭବନରେ ହୃଦଘାତରେ ଦେହାନ୍ତ । ଓଲିଉଡ ଜଗତରେ ଶୋକର ଛାୟା

220

କନକ ବ୍ୟୁରୋ: ବିଶିଷ୍ଟ ଅଭିନେତ୍ରୀ ଅନତା ଦାସ ଆଉ ଆମ ଗହଣରେ ନାହାନ୍ତି । କଟକ ସ୍ଥିତ ବାସଭବନରେ ହୃଦରୋଗରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ଅନୀତା ଦାସ ଅନେକ ଓଡିଆ ଫିଲ୍ମ, ଧାରାବାହିକ ଓ ଆଲବମରେ ଅଭିନୟ କରିଥିଲେ । ଓଡିଆ ସିନେ ଜଗତରେ ସେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେ ଶହେରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛି । ପୁଅ ମୋର କଳାଠାକୁର, କି ହେବ ଶୁଆ ପୋଷିଲେ, ବାହୁଡିବେ ମୋ ଜଗାବଳିଆ, ଯାଯାବର, ଗଢିଜାଣିଲେ ଘର ସୁନ୍ଦର, ଆମ ଭିତରେ କିଛି ଅଛି କି ଭଳି ହଟି ଫିଲ୍ମରେ ଅଭିନିୟ କରିଛନ୍ତି । ବିଶେଷକରି ଓଲିଉଡରେ ସେ ମା ଭୂମିକାରେ ଦମଦାର ଅଭିନୟ କରୁଥିଲେ ।

ପରପାରିରେ ପ୍ରିୟ କଳାକାର ଅନୀତା ଦାସ । ଓଡ଼ିଆ ସିନେମାର ମାଆ ଭୂମିକାରେ ସର୍ବାଧିକ ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ ହୋଇଛି । କଟକ ସେଲଟର ଛକ ସ୍ଥିତ ବାସଭବନରେ ହୃତଘାତରେ ତାଙ୍କ ଦେହାନ୍ତ ହୋଇଛି । ଶହେରୁ  ଅଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନୀତା ଦାସ ଛୋଟ ପରଦା ଓ ଭଜନ ଆଲବମରେ ମଧ୍ୟ ନିଜ ଅଭିନୟର ଯାଦୁଗରୀ ଦେଖାଇଛନ୍ତି ।

ଯାଯାବର, ଭକ୍ତ ସାଲବେଗ, ତପସ୍ୟା, ଗଢ଼ି ଜାଣିଲେ ଘର ସୁନ୍ଦର, ଅଗ୍ନିପରୀକ୍ଷା, କୃଷ୍ଣସୁଦାମା, ଲକ୍ଷ୍ମୀପ୍ରତିମା, ସ୍ୱପ୍ନସାଗର, ରାମବଳରାମ, ଆରତୀ, ଓମ ନମଃ ଶିବାୟ, ଡନ୍, ସ୍ୱୟଂସିଦ୍ଧା, ଆମ ଭିତରେ କିଛି ଅଛି ଓ ବାହୁଡ଼ିବେ ମୋ ଜଗାବଳିଆ ପରି ଅନେକ ସଫଳ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ଏହାବ୍ୟତୀତ ଅନ୍ୟ ଆଂଚଳିକ ଭାଷାରେ ମଧ୍ୟ ଅନୀତା ଦାସଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ତରଫରୁ ସେ ତିନିଥର ପୁରସ୍କୃତ ହୋଇଥିଲେ । ଅନୀତା ଦାସଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତର ଅପୂରଣୀୟ କ୍ଷତି ଘଟିଛି ।