ସ୍କୁଲ ପିଲାଙ୍କ ପାଇଁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା: ଅଯୁଗ୍ମ ତାରିଖରେ ଅଯୁଗ୍ମ ରୋଲ ନଂ ଥିବା ପିଲା ଆସିବେ ସ୍କୁଲ, ସେହିଭଳି ଯୁଗ୍ମ ତାରିଖରେ ଆସିବେ ଯୁଗ୍ମ ରୋଲ ନଂ ଥିବା ପିଲା: ରାଜ୍ୟ ସରକାର ଚାହିଁଲେ ସଂଶୋଧନ କରି ଲାଗୁ କରିପାରିବେ

ଏହି ବ୍ୟବସ୍ଥାର ମୂଳ ଆଧାର ରହିବ ସାମାଜିକ ଦୂରତା । ସ୍କୁଲ ଖୋଲିଲେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯୁଗ୍ମ-ଅଯୁଗ୍ମ ନେଇ ଏନସିଇଆରଟି ନିର୍ଦ୍ଦେଶକଙ୍କ ସୂଚନା ।

2,093

କନକ ବ୍ୟୁରୋ: କ୍ଲାସ ରୁମରେ ଆରମ୍ଭ ହେବ ଯୁଗ୍ମ- ଅଯୁଗ୍ମ ବ୍ୟବସ୍ଥା । ଅଯୁଗ୍ମ ତାରିଖରେ ସ୍କୁଲ ଆସିବେ ଅଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ । ସେହିଭଳି ଯୁଗ୍ମ ତାରିଖରେ ଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲ ଆସି ପାଠ ପଢିବେ । ସ୍କୁଲରେ ଲାଗୁ ହେବ ଅଡ-ଇଭିନ ଯୋଜନା । ଏନେଇ ଖୁବ ଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ପଠାଯିବ ଏବଂ ଅନୁମତି କ୍ରମେ ସବୁ ରାଜ୍ୟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି । ଯଦି ରାଜ୍ୟ ସରକାର ଚାହିଁବେ ତେବେ ଏହାକୁ ସଂଶୋଧନ କରି ଲାଗୁ କରିପାରିବେ । ଏହି ବ୍ୟବସ୍ଥାର ମୂଳ ଆଧାର ରହିବ ସାମାଜିକ ଦୂରତା । ଯେବେବି ସ୍କୁଲ ଖୋଲିବ ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ରଖାଯାଇଛି ।

ତେବେ ସ୍କୁଲ୍ ଖୋଲିବା ପାଇଁ ‘ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ’ (ଏନସିଆରଟି) ବିଚାର କରୁଥିବା ଯୋଜନାରେ ସାମାଜିକ ଦୂରତା, ବ୍ୟକ୍ତିଗତ ମୂଲ୍ୟାୟନ ଏବଂ ଶିକ୍ଷାଦାନ-ଶିକ୍ଷାଗ୍ରହଣ ଆଦି ପ୍ରସଙ୍ଗ ରହିଛି। ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମାର୍ଗଦର୍ଶିକା ଘୋଷଣା କରିବାର ସମ୍ଭାବନା ରହିଛି। ବିଭିନ୍ନ ଗ୍ରୁପ୍ ଏହି ମାର୍ଗଦର୍ଶିକାର ଚୂଡ଼ାନ୍ତ ରୂପରେଖ ଦେଉଛନ୍ତି। ସୋମବାର ଦିନ ଏହାର ଡ୍ରାଫ୍ଟ୍ ମନ୍ତ୍ରାଳୟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଏହାଛଡ଼ା ଟିଭି ଚାନେଲମାନଙ୍କରେ ପ୍ରସାରଣ ପାଇଁ ସରକାର ‘ଇଚ୍ କ୍ଲାସ୍, ୱାନ୍ ଚାନେଲ୍’ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଯୋଜନା କରୁଛି। ଏହି କାର୍ଯ୍ୟକ୍ରମ ପାଇଁ ‘ଏନସିଆରଟି’ ବିଷୟବସ୍ତୁ ଓ ‘ଲାଇଭ୍ ଇଣ୍ଟରାକସ୍ନ୍’ ପାଠ୍ୟ ମଧ୍ୟ ପ୍ରସ୍ତୁତ କରୁଛି। ଚୂଡ଼ାନ୍ତ ମାର୍ଗଦର୍ଶିକା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅନୁମୋଦନ କରିବେ ବୋଲି ସୂଚନା ଦେଇ ‘ଏନସିଆରଟି’ର ନିର୍ଦେଶକ ହୃଷୀକେଶ ସେନାପତି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୌଣସି ମତେ ସାଲିସ ନ କରାଯିବା ପାଇଁ ଏହି ସବୁ ବ୍ୟବସ୍ଥା ପାଇଁ ଯୋଜନା କରାଯାଉଛି।

ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟତୀତ ସପ୍ତାହ ଅଦଳ ବଦଳ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଉଛି। ଘରେ ରହୁଥିବା ଦିନ ଛାତ୍ରଛାତ୍ରୀମାନେ କ’ଣ କରିବେ ତାହାର ମଧ୍ୟ ଏହି ମାର୍ଗଦର୍ଶିକାରୁ ଜଣାପଡ଼ିବ। ଏହାଛଡ଼ା ଆଉ ଏକ ବିକଳ୍ପ ହେଉଛି, ସ୍କୁଲ ସବୁ ଅନ୍ଲାଇନ୍ କ୍ଲାସ୍ କରାଇ ସେଥିରେ ପିଲାମାନଙ୍କୁ ପାଠ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଦେଇ ପାରିବେ। ଏହାର ବିନ୍ୟାସ ମଧ୍ୟ ସେ ମାର୍ଗଦର୍ଶିକାରେ କରାଯାଉଛି।