କରୋନା ମୁକାବିଲା : ଭୁବନେଶ୍ୱରରେ ଲାଗୁ ହେବ ଅଡ଼୍-ଇଭିନ୍ ଫର୍ମୁଲା, ଆସନ୍ତାକାଲି ଠାରୁ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଲାଗୁ ହେବ ଏହି ନିୟମ । ଜାଣନ୍ତୁ କେଉଁ ତାରିଖରେ ଗଡିବ କେଉଁ ଗାଡି?

6,450

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ କରିବାକୁ ଯାଉଛନ୍ତି । ସାମାଜିତ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହି ଫର୍ମୁଲା ଲାଗୁ ହେବ । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପାଇଁ ଏହି ନିୟମ ଲାଗୁ କରାଯିବ । ତେବେ ଘରୋଇ ଗାଡି ଗୁଡିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଏହି ନିୟମ ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଲାଗୁ ହେବ ।

ଯୁଗ୍ମ ( ଇଭିନ) ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡି ଚଳାଚଳ କରିବ ।ସେହିଭଳି ଅଯୁଗ୍ମ (ଅଡ) ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡି ଗଡିବ । ଊଦାହରଣ ସ୍ୱରୂପ, ଆସନ୍ତାକାଲି ୨୧ ତାରିଖ ପଡୁଥିବାରୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଥିବା ଅଯୁଗ୍ମ ନମ୍ବର ଥିବା ଗାଡି ଗୁଡିକ ଚାଲିପାରିବ । ସେହିଭଳି ୨୨ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡି ଚାଲିପାରିବ । ତେବେ ସରକାରୀ କିମ୍ବା ଜରୁରୀକାଳୀନ ଗାଡି ଗୁଡିକୁ ଏହି ନିୟମରୁ ବାଦ୍ ଦିଆଯାଇଛି । ସେହିଭଳି ହସ୍ପିଟାଲରେ ନିୟୋଜିତ ଥିବା ଓ ଡାକ୍ତରଙ୍କୁ ନେବା ଆଣିବା କରୁଥିବା ଗାଡି ଗୁଡିକ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି କୁହାଯାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ପହଞ୍ଚିଥିବା ବେଳେ ଏହି ଫର୍ମୁଲାକୁ ଆପଣାଇଥିଲେ କେଜ୍ରିୱାଲ ସରକାର । ସେବେଠାରୁ ବିଭିନ୍ନ ସମୟରେ ଅଡ-ଇଭିନ ଫର୍ମୁଲା ଦେଖିବାକୁ ମିଳିଛି ।