ଦୁର୍ଗାପୂଜା ବେଳକୁ ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା । ୧୦ରେ ସୃଷ୍ଟି ହେବ ଲଘୁଚାପ, ସମୁଦ୍ରରେ ୫ ଦିନ ରହି ବଳ ଗୋଟାଇବା ସମ୍ଭାବନା ।

603

କନକ ବ୍ୟୁରୋ : ସରକାରଙ୍କ କଟକଣା ପାଇଁ ପୂଜାରେ ଉତ୍ସବର ପରିବେଶ ନାହିଁ । ଏପଟେ ସେହି ସମୟରେ ପ୍ରାୟ ୧୫ତାରିଖ ଆଡକୁ ବାତ୍ୟାର ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଆସନ୍ତା ୧୦ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପକ୍ଷେତ୍ର ସୃଷ୍ଟି ହେବ, ଏବଂ ୪ରୁ ୫ଦିନ ଧରି ଏହା ସମୁଦ୍ରରେ ରହିବ । ଏହାପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।

ଦୁର୍ଗାପୂଜା ବେଳେ ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ସମୁଦ୍ରରେ ଅଧିକ ଦିନ ରହି ହେବ ଶକ୍ତିଶାଳୀ ! ଅକ୍ଟୋବରରେ ଓଡିଶାକୁ ବତ୍ୟା ଭୟ । ଏହା ପୂର୍ବରୁ ମହାବାତ୍ୟା ହୁଡହୁଡ, ଫାଇଲିନ, ତିତିଲି ବାତ୍ୟା ଅକ୍ଟୋବରରେ ଓଡିଶା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପୁଣି ଚଳିତ ମାସ ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ।

ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇ କ୍ରମେ ଅବପାତର ରୂପ ନେବ । ଏହାପରେ ସମୁଦ୍ରରେ ୪ରୁ ୫ ଦିନ ରହିବାର ସମ୍ଭାବନା ରହିଛି । ତେଣୁ ଏହି ବାତ୍ୟା ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ପ୍ରବେଶ କରିବା ଆଶଙ୍କା କରାଯାଉଛି ।

ଏହା ପୂର୍ବରୁ ଓଡିଶାରେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅମ୍ଫାନ ବାତ୍ୟା ମଧ୍ୟ ସମୁଦ୍ରରେ ୫ ଦିନ ରହିବା ପରେ ସ୍ଥଳଭାଗ ମୁହାଁ ହୋଇଥିଲା । ତେଣୁ ଅକ୍ଟୋବରରେ ହେବାକୁ ଥିବା ଏହି ଲଘୁଚାପ ଶକ୍ତିଶାଳୀ ହୋଇ ଉପକୂଳକୁ ଆସିବା ଅନୁମାନ କରାଯାଉଛି । ଯଦିଓ ଅନ୍ତର୍ଜାତୀୟ ପାଣିପାଗ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଛନ୍ତି । କିନ୍ତୁ ଏହି ବାତ୍ୟା କେତେ ଶକ୍ତିଶାଳୀ ହେବ? ଏହାର ପ୍ରଭାବ ଓଡିଶା ଉପରେ କେମିତି ରହିବ ? କେତେ କ୍ଷୟକ୍ଷତି କରିପାରେ ? ସେ ସମ୍ପର୍କରେ ପୂର୍ବାନୁମାନ ଏବେ ଆସିନାହିଁ । ଅନ୍ୟପଟେ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟା ସୃଷ୍ଟି ବେଳେ ଯଦି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରାଯାଇଥାଏ, ତେବେ ବାୟୁମଣ୍ଡଳରେ ତଳ ଉପର ଭାଗର ବାୟୁ ପ୍ରବାହ ଆସୁଥିବା ବାତ୍ୟାକୁ ଶକ୍ତିଶାଳୀ କରିବାକୁ ସାହାଯ୍ୟ କରିବ ।