କନକ ବ୍ୟୁରୋ : ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅକ୍ଟୋବର ମାସର ତାତି, ମାର୍ଚ୍ଚ, ଏପ୍ରିଲ ମାସର ତାତି ପରି ଅନୁଭବ ହେଉଛି । ଗତକାଲି ୩୫ ଡିଗ୍ରୀ ଉପରେ ରହିଥିଲା ୧୭ ସହରର ପାରଦ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଓ ରାତିର ତାପାମାତ୍ରା ୨୦ ଡିଗ୍ରୀ ରହୁଛି । କୋରାପୁଟ ଭଳି ପାହାଡିଆ ଅଞ୍ଚଳରେ ମଧ୍ୟ ରାତିରେ ତାପମାତ୍ରା କମ୍ ରହୁଥିଲେ ବି ଦିନରେ ପ୍ରବଳ ଗରମ ହେଉଛି ।

Advertisment

ସେହିପରି ଗତକାଲି ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଦଶମିକ ୪ ଡିଗ୍ରୀ ସେଲସିୟସ୍ ରହିଥିଲା । ଯାହାକି ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ । ହେଲେ ଆର୍ଦ୍ରତା ଅଧିକ ରହୁଥିବାରୁ ରାଜଧାନୀରେ ତାତି ୪୦ ଡିଗ୍ରୀ ପରି ଅନୁଭବ ହେଉଛି । ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ବାୟୁମଣ୍ଡଳରେ ୮୭ ପ୍ରତିଶତ ଆର୍ଦ୍ରତା ରହିଥିବା ବେଳେ ସଂଧ୍ୟା ସାଢେ ୫ଟା ବେଳକୁ ଆର୍ଦ୍ରତା ୭୪ ପ୍ରତିଶତ ରହିଥିଲା । ଆହୁରି ୧୦ ଦିନ ଏପରି ସ୍ଥିତି ଲାଗି ରହିପାରେ ।