ଲକଡାଉନ ସଫଳ ହୋଇଛି, ଦିଲ୍ଲୀରେ ସଂକ୍ରମଣ କମୁଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

250

କନକ ବ୍ୟୁରୋ :  ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ । ଦିନକୁ ଦିନ କମୁଛି ସଂକ୍ରମଣ । ଆଜି ଏ ବାବଦରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ସଂକ୍ରମଣ ବଢିବା ସହ ଅମ୍ଳଜାନର ଅଭାବ ଦେଖାଦେବା ପରେ ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିଥିଲେ, ଯାହା ଏବେ ସଫଳ ହୋଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ସେ କହିଛନ୍ତି ଯେ, ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଲୋକଙ୍କ ସହଯୋଗ ପାଇଁ ଲକଡାଉନ୍ ସଫଳ ହେଲା । ଗତ କିଛି ଦିନ ମଧ୍ୟରେ ଆମେ ଅମ୍ଳଜାନ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛୁ । ଗତକାଲି, ଆମେ ଜିଟିବି ହସ୍ପିଟାଲ ନିକଟରେ ୫୦୦ ନୂତନ ଆଇସିୟୁ ବେଡ୍ ଆରମ୍ଭ କଲୁ । ବର୍ତ୍ତମାନ ଦିଲ୍ଲୀରେ ଆଇସିୟୁ ଏବଂ ଅମ୍ଳଜାନ ଶଯ୍ୟାର ଅଭାବ ନାହିଁ।

ଏହା ସହ କରୋନା ଟିକାକୁ ନେଇ ସେ କହିଛନ୍ତି ଯେ, କେବଳ ୨ଟି କମ୍ପାନି ଟିକା ଉତ୍ପାଦନ କରୁଛନ୍ତି। ସେମାନେ ମାସକୁ ମାତ୍ର ୬-୭ କୋଟି ଟିକା ଉତ୍ପାଦନ କରନ୍ତି । ଏମିତି ଚାଲିଲେ ସମସ୍ତଙ୍କ ଟିକାକରଣ ପାଇଁ ୨ବର୍ଷରୁ ଅଧିକ ସମୟ ଲାଗିବ । ସେତେବେଳକୁ କରୋନାର ଅନେକ ତରଙ୍ଗ ଆସି ଯାଇଥିବ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନ ବୃଦ୍ଧି ଏବଂ ସମସ୍ତଙ୍କୁ ଟିକାକରଣ ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, “ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ହାର ୩୬% ରୁ ୧୯.୧% କୁ ହ୍ରାସ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ୨୮,୦୦୦ ରୁ ପ୍ରାୟ ୧୨,୫୦୦ କୁ ହ୍ରାସ ପାଇଛି।