କରୋନା ସଂକ୍ରମଣ ସମୟରେ ଭୁଲି ଗଲେ ସାମାଜିକ ଦୂରତା : ରାଉରକେଲାରେ ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ଜନସମୂଦ୍ର, ପ୍ରଶ୍ନ ଉଠିଲା ନିୟମ ଉଲ୍ଲଂଘନ ବେଳେ କୁଆଡେ ଗଲା ପୁଲିସ 

700

କନକ ବ୍ୟୁରୋ : କରୋନା ମୁକାବିଲା ସମୟରେ ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ । ଶବଯାତ୍ରା ସମୟରେ ଦେଖିବାକୁ ମିଳିଲା ଜନସମୁଦ୍ର । ପୁଲିସ ଉପସ୍ଥିତିରେ ହେଲା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ରାଉରକେଲା ନାଲାରୋଡରୁ ଆସିଛି ଏଭଳି ଦୃଶ୍ୟ । ଗତ ୭ ତାରିଖରେ ଜଣେ ଯୁବକର ହତ୍ୟା ଘଟଣା ପରେ ସେହି ଅଂଚଳର ଲୋକେ ବାହାରକୁ ବାହାରିଆସିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ଏହା ଏକ ଶବ ଶୋଭାଯାତ୍ରା ଭଳି ଦେଖାଯାଉଥିଲା । ହଜାର ହଜାର ଲୋକ ଏକାଠି ହୋଇ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ସାମାଜିକ ଦୂରତା ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଏଭଳି ଉଲ୍ଲଙ୍ଘନ କେବେ ଦେଖିବାକୁ ମିଳିନଥିଲା ।

ସେହି ଅଂଚଳରେ ଜନସମୁଦ୍ର ସୃଷ୍ଟି ହୋଇଥିଲା । ଏହାପୂର୍ବରୁ କଂଟେନମେଂଟ ଜୋନ ଘୋଷଣାକୁ ବିରୋଧ କରି ନାଲାରୋଡର କିିଛି ଲୋକ ପୁଲିସ ଉପରକୁ ପଥରମାଡ ମଧ୍ୟ କରିଥିଲେ । ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ୩୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଜୁନ ୮ ତାରିଖ ସଂଧ୍ୟାରେ ପୁଣି ଏଭଳି ଏକ ଜନସମୁଦ୍ର ସଂକ୍ରମଣର ଆଶଙ୍କାକୁ ଆହୁରି ବଢାଇଦେଇଛି ।