ଓକାକ ସାଇବର ଠକେଇ ମାମଲା । ଏହି ଘଟଣାରେ ସାମିଲ ଅଛନ୍ତି ଅନେକ ଗ୍ୟାଙ୍ଗ । ଅଭିଯୁକ୍ତ ପାଶ୍ଚାଲକୁ ଜେରା ପରେ ମିଳିଲା ତଥ୍ୟ

107

କନକ ବ୍ୟୁରୋ : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶସ ସେଂଟର(ଓକାକ୍) ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସପ୍ ହ୍ୟାକ କରି ୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଫିଟୁଛି ଗୁମର । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିଆନ ଗ୍ୟାଙ୍ଗର ଓକୁଉଦିିରି ପାଶ୍ଚାଲଙ୍କୁ ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ ଏବଂ ଓଡ଼ିଶା କ୍ରାଇମ ବ୍ରାଂଚର ଏକ ଟିମ୍ ପାଶ୍ଚାଲଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋରରେ ଅଛନ୍ତି । ସମସ୍ତ ଠକ ନାଇଜେରିଆନ ବୋଲି ଜଣାପଡିଛି ।

୨୦୧୨ ମସିହାରେ ସେମାନେ ଭାରତ ଆସିବା ସହ ଏଠାରେ ରହି ଅନଲାଇନ ମାଧ୍ୟମରେ ଠକେଇ କରୁଛନ୍ତି । ଦିଲ୍ଲୀ ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଭିସା ମଧ୍ୟ ଖାରଜ ହୋଇଯାଇଛି । ଏନେଇ କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଧରା ହୋଇଥିବା ଦୁଇ ଠକ ମୁଖ୍ୟ ଅଭିଯୁକ୍ତ ନୁହଁନ୍ତି । ଏମାନଙ୍କ ଆକାଉଂଟକୁ ଟଙ୍କା ଆସିବା ପରେ ସେମାନେ ଟଙ୍କା ଉଠାଇ ଦେଇଥାନ୍ତି । ଯେଉଁଥିପାଇଁ ସେମାନେ ମୋଟ ଅର୍ଥର ୧୦ ପ୍ରତିଶତ ନେଇଥାନ୍ତି ବୋଲି ପଚରାଉଚରା ବେଳେ ଅଭିଯୁକ୍ତ ଦ୍ୱୟ ମାନିଛନ୍ତି ।

ଓକାକ୍ ସିଇଓଙ୍କ ଠକେଇ ଟଙ୍କା ଦୁଇ ଜଣଙ୍କ ଆକାଉଂଟକୁ ଯାଇଥିଲା । ଜଣଙ୍କ ପାଖରୁ ୫ ଲକ୍ଷ ୯୫ ହଜାର ଟଙ୍କା ଯାଇଥିବା ବେଳେ ଅନ୍ୟ ଜଣଙ୍କ ଆକାଉଂଟ ବାକି ଟଙ୍କା ଯାଇଛି । ଅଭିଯୁକ୍ତ ଦ୍ୱୟଙ୍କୂୁ ଗତକାଲି ଦିଲ୍ଲୀ ପୋଲିିସ ବାଙ୍ଗାଲୋରରୁ ଗିରଫ କରିବା ପରେ ୮ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ମାମଲାର ତଦନ୍ତ ଚାଲିଥିବା ବେଳେ ଘଟଣା ସମ୍ପର୍କରେ ପୁରା ସୂଚନା ମିଳିପାରିବ ବୋଲି କୁହାଯାଉଛି ।